ଘୋଡ଼ାହାଡ଼ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି, ଯେକୌଣସି ମୁହୂର୍ତ୍ତରେ…

ଦିଗପହଣ୍ଡି,୨୬।୯(ଅଶେଷ ନାଥ ମିଶ୍ର): ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ୍ୟାମରୁ ସ୍ପିଲ ୱେ ମୁଖ୍ୟ ଫାଟକ ଦେଇ ନଦୀ ମଧ୍ୟକୁ ପାଣି ଛଡ଼ା ଯାଇପାରେ ବୋଲି ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ଶୁକ୍ରବାର ସତର୍କ ସୂଚନା ଜାରି କରାଯାଇଛି।

ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୬୬ ପ୍ରତିଶତ ଅର୍ଥାତ ୧୧୪.୮୦ ମିଟର ପାଣି ଗଚ୍ଛିତ ରହିଥିବା ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଲଘୁଚାପ ବର୍ଷା ପ୍ରଭାବରୁ ଆଗାମୀ ଦୁଇଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ତେଣୁ ଡ଼୍ୟାମର ସୁରକ୍ଷା ଦୃଷ୍ଟିରୁ ନଦୀ ମଧ୍ୟକୁ ପାଣି ଛଡ଼ାଯିବ। ପାଣିରେ ଡ଼୍ୟାମ ଭିତରୁ କୁମ୍ଭୀର ମଧ୍ୟ ଚାଲି ଯାଇପାରେ ବୋଲି ଆଶଙ୍କା ରହିଛି। ତେଣୁ ନଦୀ କୁଳିଆ ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା, ଆମ୍ବ ଗାଁ, ତିଳେଶ୍ୱର, ମହାନଳା, ପଳାଶ ପୁର, ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀ ମାନେ ନଦୀ ମଧ୍ୟକୁ ନଯିବା ସହ ଗୃହପାଳିତ ପ୍ରାଣୀ ମାନଙ୍କୁ ନ ଛାଡ଼ିବା ପାଇଁ ଅନୁରୋଧ କରାଯାଇଥିବା ବେଳେ ଏନେଇ କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୨୦୭ ଅନୁଯାୟୀ ବିଭିନ୍ନ ବିଭାଗ,ଥାନା ଗୁଡ଼ିକୁ ସୂଚନା ଦିଆଯାଇଥିବା ଜଣାପଡିଛି ।

Dharitri No. 1, Most  Trusted Odia Daily of Odisha

Share