ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ ନୌସେନା ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଟ୍ୟାଙ୍କରର ପିଛା କରୁଥିଲା। ଏହି କାର୍ଯ୍ୟାନୁଷ୍ଠାନ ଏଭଳି ଏକ ସମୟରେ ନିଆଯାଇଛି ଯେତେବେଳେ କୁହାଯାଉଥିଲା ଯେ ରୁଷିଆ ମଧ୍ୟ ଏହି ଟ୍ୟାଙ୍କରର ସୁରକ୍ଷା ପାଇଁ ନୌସେନା ଏବଂ ବୁଡ଼ାଜାହାଜ ମୁତୟନ କରିଥିଲା।
ଆମେରିକୀୟ ସେନାର ଇଉରୋପୀୟ କମାଣ୍ଡ (EUCOM) ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ବୟାନ ଜାରି କରି ଏହି କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରିଛି। ବୟାନରେ କୁହାଯାଇଛି ଯେ ନ୍ୟାୟ ବିଭାଗ, ଗୃହ ସୁରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ବିଭାଗର ସମନ୍ବୟରେ ଆମେରିକୀୟ ପ୍ରତିବନ୍ଧକଗୁଡ଼ିକର ଉଲ୍ଲଂଘନ କରିଥିବାରୁ ଟ୍ୟାଙ୍କରକୁ ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପ ପଶ୍ଚିମ ଗୋଲାର୍ଦ୍ଧର ସୁରକ୍ଷା ଏବଂ ସ୍ଥିରତାକୁ ବିପଦରେ ପକାଉଥିବା ଜାହାଜଗୁଡ଼ିକ ବିରୁଦ୍ଧରେ ନିଆଯାଇଛି।
ରିପୋର୍ଟ ଅନୁଯାୟୀ, ଆମେରିକା ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଜାହାଜର ଗତିବିଧି ଉପରେ ନଜର ରଖୁଥିଲା। ଏହି ସମୟରେ ଖବର ଆସିଥିଲା ଯେ ମସ୍କୋ ଜାହାଜର ସୁରକ୍ଷା ପାଇଁ ନୌସେନା ଏସ୍କର୍ଟ ମୁତୟନ କରିବାକୁ ଚେଷ୍ଟା କରିଥିଲା। ତଥାପି, ଦ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଆମେରିକୀୟ ତଟରକ୍ଷୀ ବାହିନୀ ଟ୍ୟାଙ୍କର ଉପରେ ଚଢ଼ିଲା ସେ ସମୟରେ ଆଖପାଖରେ କୌଣସି ରୁଷୀୟ ଜାହାଜ ଉପସ୍ଥିତ ନଥିଲା, ଯାହାଦ୍ୱାରା ସମ୍ଭାବ୍ୟ ସଂଘର୍ଷ ଏଡ଼ାଇ ଦିଆଗଲା।
ଏହି ଜାହାଜର ମୂଳ ନାମ ବେଲା-୧ ଥିଲା। ଏହା ଭେନେଜୁଏଲା ସହ ଜଡ଼ିତ ତୈଳ ଯୋଗାଣ ଶୃଙ୍ଖଳାରେ ଛାୟା ନୌବାହିନୀ ଭାବେ କାଯର୍ର୍ୟ କରୁଥିଲା। ୨୦୨୪ରେ ଆମେରିକା ଏହା ଉପରେ କଟକଣା ଲଗାଇଥିଲା। ପରବର୍ତ୍ତୀ ସମୟରେ ଏହା ନିଜର ନାମ ବଦଳାଇ ‘ମାରିନେରା’ କରିଦେଲା ଏବଂ କ୍ରୁ ଜାହାଜରେ ରୁଷୀୟ ପତାକା ପେଣ୍ଟ କରି ଏହାକୁ ରୁଷୀୟ ଶିପିଂ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଇଥିଲା।
ଆମେରିକା ଏହି କାର୍ଯ୍ୟାନୁଷ୍ଠାନ କରିଥିଲା ଯେତେବେଳେ ଏହା ଇରାନରୁ ଭେନେଜୁଏଲା ଯାଉଥିଲା। ଭେନେଜୁଏଲାର ଜଳସୀମା ନିକଟରେ ପ୍ରତିବନ୍ଧିତ ତୈଳ ଟ୍ୟାଙ୍କରଗୁଡ଼ିକୁ ଜବତ କରିବା ପାଇଁ ଆମେରିକା ପ୍ରତିବନ୍ଧକ ଲଗାଇଥିବା ବେଳେ ଏହା ନିଜର ରାସ୍ତା ବଦଳାଇ ଆଟଲାଣ୍ଟିକ ମହାସାଗର ଆଡ଼େ ଫେରିଯାଇଥିଲା। ଡିସେମ୍ବରରେ ଆମେରିକୀୟ କୋଷ୍ଟ ଗାର୍ଡ ଏହାକୁ କ୍ୟାରିବିଆନ ସାଗରରେ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ କ୍ରୁ ଏହାର ବିରୋଧ କରିଥିଲା ଏବଂ ଜାହାଜ ଆମେରିକୀୟ ବ୍ଲକେଡ଼କୁ ଏଡ଼ାଇ ଉତ୍ତର ଆଡ଼େ ରାସ୍ତା ବଦଳାଇଥିଲା। ଯେହେତୁ ଏହି ଟ୍ୟାଙ୍କର ରୁଷୀୟ ଶିପିଂ ରେଜିଷ୍ଟରରେ ପଞ୍ଜିକୃତ ହୋଇସାରିଥିଲା, ତେଣୁ ଆମେରିକା ଏହାର ପିଛା କରିବା ବେଳେ ରୁଷିଆ ମଧ୍ୟ ଏହାର ବିରୋଧ କରିଥିଲା ଏବଂ ଜାହାଜକୁ ଏସ୍କର୍ଟ କରିଥିଲା।
ଟ୍ୟାଙ୍କରଟି ଇରାନ-ଭେନେଜୁଏଲା-ଚାଇନା ମଧ୍ୟରେ ତୈଳ ଯୋଗାଣ ନେଟୱର୍କ ସହ ଜଡ଼ିତ ବୋଲି ଧାରଣା କରାଯାଉଛି। ଆମେରିକା ଗତ କିଛି ମାସରେ ଭେନେଜୁଏଲାରୁ ତୈଳ ରପ୍ତାନି ଉପରେ କଡ଼ାକଡ଼ି ବଢ଼ାଇଛି, ଯାହାକୁ ସେ ଅବୈଧ ପ୍ରତିବନ୍ଧିତ ମାନୁଛି, ଏବଂ ଏବେ ସେହି ନୀତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ପଶ୍ଚିମୀ ଏଜେନ୍ସିଗୁଡ଼ିକୁ ସନ୍ଦେହ କରୁଛନ୍ତି ଯେ କିଛି ଟ୍ୟାଙ୍କର ଭେନେଜୁଏଲାର ବନ୍ଦରଗୁଡ଼ିକରୁ ଶିପମେଣ୍ଟ, ରି-ରୁଟିଂ କିମ୍ବା ଶିପ-ଟୁ-ଶିପ ଟ୍ରାନ୍ସଫର ମାଧ୍ୟମରେ ତୈଳର ଉତ୍ପତ୍ତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବଢ଼ାଇପାରେ, କାରଣ ଏହା ଭେନେଜୁଏଲା ଉପରେ ଆମେରିକୀୟ ଚାପର ଏକ ଅଂଶ।