ଗୋଲ୍ଡ ଲୋନ୍‌ ଚାହୁଁଛନ୍ତି କି? ଜାଣନ୍ତୁ କେମିତି ମିଳିବ, ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

ସୁନା କେବଳ ଏକ ଦାମୀ ଆଭୂଷଣ ଭାବେ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧିକରି ନ ଥାଏ ବରଂ ପାଖରେ ସୁନା ଥିଲେ ଅସମୟରେ ଏହାକୁ ବନ୍ଧକ ରଖି ଲୋନ୍‌ ଆଣିବା, ଆର୍ଥିକ ସଙ୍କଟ ଦୂରକରିବାର ସବୁଠୁ ଭଲ ବିକଳ୍ପ ବି ସାଜିପାରେ …

ମହିଳାମାନେ ସାଧାରଣତଃ ସୁନାଗହଣା ପ୍ରିୟ। ତେଣୁ ସୁନା ଦର ଦିନକୁ ଦିନ ବଢୁଥିଲେ ସୁଦ୍ଧା ଅନେକେ ଏହାକୁ କିଣିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହା ପଛର ମୁଖ୍ୟ କାରଣ ହେଉଛି ସୁନା ଏଭଳି ଏକ ମୂଲ୍ୟବାନ୍‌ ଧାତୁ ଯାହାକି ଇନ୍‌ଭେଷ୍ଟମେଣ୍ଟ ପାଇଁ ମଧ୍ୟ ଏକ ଭଲ ବିକଳ୍ପ ସାଜିପାରେ। ତେବେ ହଠାତ୍‌ ଟଙ୍କା ଆବଶ୍ୟକ ସମୟରେ ପାଖରେ ସୁନା ଥିଲେ ଏହାକୁ ନିବେଶକରି ସହଜ ଏବଂ ସୁରକ୍ଷିତ ଭାବେ ଲୋନ୍‌ ଅଣାଯାଇପାରିବ। ବର୍ତ୍ତମାନ ଆମ ଦେଶରେ ମଧ୍ୟ ଗୋଲ୍ଡ ଲୋନ୍‌ ନେବା ପାଇଁ ଅନେକ ସୁବିଧା ଉପଲବ୍ଧ ହେଲାଣି; ଯେଉଁଥିପାଇଁ ଅସମୟରେ ଲୋକଙ୍କୁ ଆଉ ସୁନା ବିକ୍ରି କରିବାକୁ ପଡୁନାହିଁ। ବିବାହ, ଚିକିତ୍ସା, ପିଲାଙ୍କ ହାୟର ଷ୍ଟଡି ଏମିତିକି କେହି କେହି ଗାଡ଼ି କିଣିବା ଲାଗି ମଧ୍ୟ ସୁଧ ହାର କମ୍‌ ଥିବାରୁ ଗୋଲ୍ଡ ଲୋନ୍‌ ନେଉଛନ୍ତି। ତେବେ ଗୋଲ୍ଡ ଲୋନ୍‌ କିପରି ମିଳିଥାଏ, ଏଥିରେ କ’ଣ ସୁବିଧା ବା ଅସୁବିଧା ରହିଛି, ସମ୍ପୂର୍ଣ୍ଣ ଋଣ ଶୁଝିବା ପରେ ସୁନା ମିଳିବା କଷ୍ଟକର ନୁହେଁ ତ ଇତ୍ୟାଦି ଭଳି ପ୍ରଶ୍ନ ଅନେକଙ୍କ ମନରେ ଆସୁଥାଇପାରେ। ଜାଣନ୍ତୁ ଏହା ସମ୍ପର୍କରେ…
ଗୋଲ୍ଡ ଲୋନ୍‌ ମିଳେ କିପରି:ଏହି ପ୍ରକ୍ରିୟା ଆଦୌ କଷ୍ଟକର ନୁହେଁ। ଯଦି କୌଣସି ବ୍ୟାଙ୍କ୍‌ , ଗୋଲ୍ଡ ଲୋନ୍‌ ଦେଉଥିବା କମ୍ପାନୀ ବା ନନ୍‌ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ୍‌ କମ୍ପାନୀ(ଏନ୍‌ବିଏଫ୍‌ସି)ରେ ନିଜର ସୁନାଗହଣା, ବାର୍‌, କଏନ୍‌ ଆଦି ବନ୍ଧକ ରଖି ଲୋନ୍‌ ନେବାକୁ ଚାହୁଁଥାନ୍ତି ତେବେ ସେଠାରେ ସେମାନେ ପ୍ରଥମେ ଏହାର କ୍ୱାଲିଟି ଯାଞ୍ଚ କରିଥାନ୍ତି। ଏହାକୁ ଆଧାରକରି ବର୍ତ୍ତମାନର ମାର୍କେଟ୍‌ ରେଟ୍‌ ବା ବଜାର ମୂଲ୍ୟ ଅନୁଯାୟୀ କେତେ ଲୋନ୍‌ ମିଳିପାରିବ ତାହା ନିର୍ଦ୍ଧାରଣ କରିଥାନ୍ତି। ଏହି ଦାମ୍‌ ନିବେଶକାରୀଙ୍କୁ ପସନ୍ଦ ଆସିଲେ କେତେକ ଅଫିସିଆଲ୍‌ କାଗଜପତ୍ର କାମ ବା ଡକ୍ୟୁମେଣ୍ଟେଶନ କରାଯିବା ପରେ ଲୋନ୍‌ ମିଳିଥାଏ। ଅନ୍ୟ ଲୋନ୍‌ ପରି ଏଥିପାଇଁ ଦିନ ଦିନ ବ୍ୟାଙ୍କକୁ ଧାଇଁବାର ଟେନ୍‌ସନ ନ ଥାଏ। ମାତ୍ର କେତେଘଣ୍ଟାରେ ଏହା ମିଳିଯାଏ। ଯଦି ଲୋନ୍‌ ରାଶି ଅଳ୍ପ ଥାଏ ତେବେ କ୍ୟାଶ୍‌ ଆକାରରେ ମିଳିଯାଉଥିବା ବେଳେ ଅଧିକ ହୋଇଥିଲେ ଅନ୍‌ଲାଇନରେ ଆକାଉଣ୍ଟକୁ ଟ୍ରାନ୍ସଫର କରିଦିଆଯାଇଥାଏ। ସବୁଠୁ ଭଲ କଥା ହେଉଛି ଅନ୍ୟ ଲୋନ୍‌ ତୁଳନାରେ ଏଥିରେ ସୁଧହାର କମ୍‌ ରହିଥାଏ।
କେତେ ମିଳେ ଲୋନ୍‌: ରିଜର୍ଭ ବ୍ୟାଙ୍କର ଗୋଲ୍ଡଲୋନ୍‌ ଗାଇଡ୍‌ଲାଇନ ଅନୁଯାୟୀ ଲୋନ୍‌ ଟୁ ଭାଲ୍ୟୁ(ଏଲ୍‌ଟିଭି) ବା ସୁନାର ଦାମ୍‌ ଅନୁଯାୟୀ ଲୋନ୍‌ର ଅନୁପାତ ସର୍ବାଧିକ ୭୫% ରହିଥାଏ। ଅର୍ଥାତ୍‌ ଯଦି ଜଣେ ୧୦୦୦ ଟଙ୍କାର ସୁନା ବନ୍ଧକ ରଖେ ତେବେ ତାଙ୍କୁ ସର୍ବାଧିକ ୭୫୦ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ମିଳିପାରିବ। ତେବେ ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ପାଇଁ ୮୫% ପର୍ଯ୍ୟନ୍ତ ଲୋନ୍‌ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଗୋଲ୍ଡ ଲୋନ୍‌ରେ କେତେ ହଜାର ଟଙ୍କାରୁ ଲକ୍ଷ ଲକ୍ଷ ଟଙ୍କା ଲୋନ୍‌ ନେଇପାରିବେ। ଯେଉଁଥିରେ ଲୋନ୍‌ ଶୁଝିବାର ସମୟ ସୀମା ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ।
କିପରି କରିବେ ଗଣନା: କେତେ ସୁନା ପାଇଁ କେତେ ଟଙ୍କା ଲୋନ୍‌ ପାଇପାରିବେ ଜାଣିବା ଲାଗି ବ୍ୟାଙ୍କ୍‌ କିମ୍ବା ଗୋଲ୍ଡ ଲୋନ୍‌ କମ୍ପାନୀ ସହ ଯୋଗାଯୋଗ କରିପାରିବେ। ଯଦି ଘରେ ରହି ଏହା ଅନୁମାନ ଲଗାଇବାକୁ ଚାହାନ୍ତି ତେବେ ବ୍ୟାଙ୍କ୍‌ କିମ୍ବା କମ୍ପାନୀର ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା କାଲ୍‌କୁଲେଟରର ସାହାଯ୍ୟ ନେଇପାରିବେ। ଏଥିରୁ ଆପଣଙ୍କୁ ପ୍ରତି ମାସରେ କେତେ ଟଙ୍କା ପର୍ଯ୍ୟନ୍ତ ଇଏମ୍‌ଆଇ ଦେବାକୁ ପଡ଼ିବ ମଧ୍ୟ ଜାଣିପାରିବେ।
ସୁଧ ହାର: ବିନା ସିକ୍ୟୁରିଟି ଥିବା ପର୍ସନାଲ ଲୋନ୍‌ କିମ୍ବା କ୍ରେଡିଟ୍‌ କାର୍ଡରେ ନେଉଥିବା ଲୋନ୍‌ରେ ସୁଧ ହାର ୯%ରୁ ଆରମ୍ଭକରି ୪୫% ପର୍ଯ୍ୟନ୍ତ ରହୁଥିବା ବେଳେ ଗୋଲ୍ଡ ଲୋନ୍‌ରେ ଏହି ସୁଧ ହାର ଅପେକ୍ଷାକୃତ କମ୍‌ ଅର୍ଥାତ୍‌ ବିଭିନ୍ନ ବ୍ୟାଙ୍କ ତଥା କମ୍ପାନୀ ଅନୁଯାୟୀ ୮.୮%ରୁ ୨୭% ପର୍ଯ୍ୟନ୍ତ ରହିଥାଏ। ଏହାକୁ ଚାହିଁଲେ ପ୍ରତି ମାସରେ ଇନ୍‌ଷ୍ଟାଲ୍‌ମେଣ୍ଟରେ ଶୁଝିପାରିବେ କିମ୍ବା ଏକକାଳୀନ ମଧ୍ୟ ଶୁଝିପାରିବେ।
ଲୋନ୍‌ ନେବାର ଯୋଗ୍ୟତା: ଯେକେହି ଚାହିଁଲେ ଗୋଲ୍ଡ ଲୋନ୍‌ ନେଇପାରିବେ ନାହିଁ। ଏଥିପାଇଁ ବୟସ ସୀମା ୧୮ରୁ ଊର୍ଦ୍ଧ୍ୱ ଏବଂ ୭୫ ବର୍ଷରୁ କମ୍‌ ହୋଇଥିବା ଦରକାର। ପାଖରେ ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ପାସ୍‌ପୋର୍ଟ ଭଳି କୌଣସି ଆଇଡି ପ୍ରୁଫ୍‌ ଦରକାର। ଏହାସହ ଇଲେକ୍ଟ୍ରି ବିଲ୍‌, ପୋଷ୍ଟପେଡ୍‌ ଫୋନ୍‌ ବିଲ୍‌, ଓ୍ବାଟର ବିଲ୍‌ ଭଳି ଆଡ୍ରେସ୍‌ ପ୍ରୁଫ୍‌ ଏବଂ ୨ଟି ପାସ୍‌ପୋର୍ଟ ସାଇଜ୍‌ ଫଟୋଗ୍ରାଫ୍‌ ସହ ବନ୍ଧା ରଖିବା ଲାଗି ସୁନା ଥିବା ଦରକାର।

ଲୋନ୍‌ ନେଉଥିଲେ ଯଦି ମଝିରେ ମଝିରେ କିଛି ମାସ ଆଦୌ ସୁଧ ନ ଦିଅନ୍ତି ତେବେ ବ୍ୟାଙ୍କ କିମ୍ବା ଉକ୍ତ କମ୍ପାନୀ ପକ୍ଷରୁ ନୋଟିସ ଆସିଥାଏ। ତଥାପି ସୁଧ ନ ଦେଲେ ଉକ୍ତ ବ୍ୟାଙ୍କ୍‌ର ଅଧିକାର ଅଛି ଯେ ସେ ଆପଣଙ୍କ ସୁନାଗହଣାକୁ ନିଲାମ କରିଦେଇପାରିବ। କେବଳ ଏତିକି ନୁହେଁ, ଠିକ୍‌ ସମୟରେ ସୁଧ ନ ଦେଲେ ସିଭିଲ ସ୍କୋର ଡାଉନ୍‌ ହୋଇଯାଇଥାଏ।
ସେତିକି ନିଅନ୍ତୁ ଯେତିକି ଶୁଝିପାରିବେ। ଅର୍ଥାତ୍‌ ଇଏମ୍‌ଆଇ ଯେପରି ନିଜ ମାସିକ ରୋଜଗାରର ୪୦%ରୁ କମ୍‌ ହୁଏ ସେଥିପ୍ରତି ଧ୍ୟାନଦିଅନ୍ତୁ।