ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌: ଭାରତୀୟ ଜିଏମ୍‌ ଇନିୟାନଙ୍କୁ ଟାଇଟଲ

ଚେନ୍ନାଇ, ୪।୯(ପି.ଟି.)-
ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ ୯ରୁ ୭.୫ ପଏଣ୍ଟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଅନେକ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିଥିଲେ ହେଁ ଇନିୟାନ ୬ ବିଜୟ ୩ଟିରେ ପଏଣ୍ଟ ଭାଗକରି ଶୀର୍ଷସ୍ଥାନ ଅଧିକାର କରଛନ୍ତି। ଟାଇଟଲ ହାସଲ ପଥରେ ସେ ଜର୍ଜିଆ ଗ୍ରାଣ୍ଡମାଷ୍ଟର ବାଦୁର ଜୋବାଭା, ଆମେରିକାର ସାମ୍‌ ସେଭିଆନ, ସର୍ଗି ଇରେନବର୍ଗ ଏବଂ ୟୁକ୍ରେନର ଏନ୍‌ଝିକ୍‌ ଲିଲିଆଙ୍କ ପରି ନାମୀ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଇନିୟାନଙ୍କ ସମକକ୍ଷ ସଜୁଗିରୋ ସାନନ ମଧ୍ୟ ୭.୫ ପଏଣ୍ଟ ପାଇଥିଲେ। ମାତ୍ର ଉନ୍ନତ ଟାଇବ୍ରେକ୍‌ରରେ ଭାରତୀୟ ଜିଏମ୍‌ ବାଜି ମାରି ନେଇଥିଲେ।
ଏହି ଇଭେଣ୍ଟ ଆମେରିକାନ୍‌ ଟାଇମ୍‌ ଜୋନ୍‌ ଅନୁସାରେ ଅନୁଷ୍ଠିତ ହେଉଥିଲା। ଅର୍ଥାତ୍‌ ଇନିୟାନଙ୍କୁ ପ୍ରତିଦିନ ରାତି ୯ଟା ୩୦ରୁ ସକାଳ ୬ଟା ପର୍ଯନ୍ତ ଖେଳିବାକୁ ପଡ଼ୁଥିଲା। ଏହା ପୂର୍ବରୁ ଜାଣିଥିବାରୁ ୧୭ ବର୍ଷୀୟ ଇନିୟାନ ରାତିରେ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଥିଲେ। ଏହା ତାଙ୍କୁ ସହାୟକ ହୋଇଥିଲା ଏବଂ ବାଦୁର ଜୋବାଭାଙ୍କ ବିପକ୍ଷ ତାଙ୍କ ପାଇଁ ଶ୍ରେଷ୍ଠ ମ୍ୟାଚ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ହେଉଥିବା ଏହି ପ୍ରତିଯୋଗିତାର ୪୮ତମ ସଂସ୍କରଣ ଅଗଷ୍ଟ ୭ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଏଥର ଅନ୍‌ଲାଇନ୍‌ରେ କରାଯାଇଥିଲା। ମାତ୍ର ପ୍ରତିଯୋଗିତାର ଫଳାଫଳ ପ୍ରକାଶ କରାଯାଇ ନ ଥିଲା। ବିଭିନ୍ନ ଦୃଷ୍ଟି କୋଣରୁ ତର୍ଜମା କରାଯିବାପରେ ଏହାକୁ ଘୋଷଣା କରାଯାଇଛି। ଏଥିରେ ୧୬ଟି ଦେଶର ୧୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଗ୍ରାଣ୍ଡମାଷ୍ଟର ଥିଲେ। ପ୍ରକାଶ ଯୋଗ୍ୟ ଯେ, ଇନିୟାନ ନିକଟରେ ଅନ୍‌ଲାଇନ୍‌ ବ୍ଲିଜ୍‌ ଚେସ୍‌ ଇଭେଣ୍ଟରେ ବିଶ୍ୱର ୨ ନମ୍ବର ଖେଳାଳି ଫାବଆନୋ କାରୁଆନାଙ୍କୁ ହରାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ।