ଢାକା,୧୩।୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନେତୃତ୍ୱାଧୀନ ଆଓ୍ବାମୀ ଲିଗ୍ ସରକାର ୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ନୂଆ ସରକାର ଗଠନ ପାଇଁ ସେଠାରେ ଗୁରୁବାର ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୪ଟା ୩୦ ମିନିଟ୍ରେ ମତଦାନ ଶେଷ ହେବା ପରେ ଭୋଟ ଗଣତି ଜାରି ରହିଛି। ରାତି ୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍ପି) ୧୭୫ରୁ ଅଧିକ ଆସନରେ ଆଗରେ ରହିଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଜମାତ ୩୦ ଆସନରେ ଆଗରେ ରହିଛି। ବିଏନ୍ପି ଅଧ୍ୟକ୍ଷ ତାରିକ୍ ରହମାନ ବୋଗୁରା-୬ ଏବଂ ଢାକା-୧୭ ଆସନରେ ବିଜୟୀ ହୋଇଛନ୍ତି। ୩୦୦ ଆସନ ବିଶିଷ୍ଟ ବାଂଲାଦେଶ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ପାଇଁ ୧୫୧ ଆସନରେ ଜିତିବା ଆବଶ୍ୟକ।
୮୪ ସୂତ୍ରୀ ସଂସ୍କାର ପ୍ୟାକେଜ୍ ‘ଜୁଲାଇ ନ୍ୟାଶନାଲ ଚାର୍ଟର’ କାର୍ଯ୍ୟକାରିତା ସହ ତ୍ରୟୋଦଶ ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଛି। ରାତି ସୁଦ୍ଧା ଫଳାଫଳର ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଆଶା କରାଯାଉଛି। ବିଏନ୍ପି ଏବଂ ଏକଦା ଏହାର ସହଯୋଗୀ ଥିବା ଜମାତ-ଇ-ଇସ୍ଲାମୀ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ଶେଖ୍ ହାସିନାଙ୍କ ଆଓ୍ବାମୀ ଲିଗ୍କୁ ଭାଙ୍ଗିଦିଆଯାଇଥିବାରୁ ନିର୍ବାଚନରେ ଏହି ଦଳ ସାମିଲ ହୋଇନାହିଁ। ବାଂଲାଦେଶର ୩୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବାଲଟ୍ ପେପରରେ ଆଓ୍ବାମୀ ଲିଗ୍ର ନୌକା ଚିହ୍ନ ନାହଁ। ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍ ଗତବର୍ଷ ଆଓ୍ବାମୀ ଲିଗ୍କୁ ଭାଙ୍ଗିଦେବା ସହ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଏହାକୁ ବାଦ୍ ଦେଇଥିଲେ। ୫ ନିୟୁତ ନୂଆ ଭୋଟରଙ୍କ ସମେତ ପ୍ରାୟ ୧୨.୭ କୋଟି ଭୋଟର ମତଦାନ ସାବ୍ୟସ୍ତ କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ୩୦୦ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୯୯ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଗୋଟିଏ ନିର୍ବାଚନମଣ୍ଡଳୀର ନିର୍ବାଚନ ବାତିଲ ହୋଇଛି।
ବାଂଲାଦେଶ ନିର୍ବାଚନ ଫଳାଫଳକୁ ଭାରତ ଅପେକ୍ଷା କରିବ ବୋଲି ନୂଆଦିଲ୍ଲୀ କହିଛି। ବାଂଲାଦେଶରେ ଏକ ମୁକ୍ତ, ନିରପେକ୍ଷ, ଅନ୍ତର୍ଭୁକ୍ତ ଏବଂ ବିଶ୍ୱସନୀୟ ନିର୍ମାଚନ ପ୍ରତି ଭାରତର ସମର୍ଥନ ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।