ଗ୍ରାମଦେବତୀଙ୍କ ନିକଟରେ ଭୋଟ୍‌ ବର୍ଜନ ଶପଥ

ଛେଣ୍ଡିପଦା,୨୩|୧(ସ୍ବ.ପ୍ର.) ୨୦ ବର୍ଷ ହେଲା ଗଁାରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରଶାସନ, ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁନାହିଁ। ଦୀର୍ଘ ବର୍ଷର ଅପେକ୍ଷା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ଗ୍ରାମବାସୀ। ଶନିବାର ସେମାନେ ଗ୍ରାମଦେବତୀଙ୍କ ନିକଟରେ ଏକତ୍ର ହୋଇ ଏହି ଶପଥ ନେବା ଚର୍ଚ୍ଚାର ବିଷୟ ହୋଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗୋପୀବଲ୍ଲଭପୁର ଗ୍ରାମରେ ୪ ଶହ ପରିବାର ଥିବାବେଳେ ଭୋଟରଙ୍କ ସଂଖ୍ୟା ପ୍ରାୟ ୯ଶହ। କିନ୍ତୁ କଳିଙ୍ଗ-ଡି କୋଲ ବ୍ଲକ୍‌, ଉତ୍କଳ-ଇ ଓ ଏଫ୍‌ କୋଲ୍‌ ବ୍ଲକ୍‌କୁ ନେଇ ୨୦ବର୍ଷ ହେଲା ଗ୍ରାମରେ ୪/୧ ଜାରି କରାଯାଇଛି। ଫଳରେ ସେବେଠାରୁ ଗଁାରେ ସରକାରଙ୍କ କୌଣସି ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପାନୀୟଜଳ, ରାସ୍ତା, ଶିକ୍ଷା, ସ୍ବଚ୍ଛ ଭାରତ ଓ ଆବାସ ଯୋଜନାର ଲାଭ ଲୋକଙ୍କୁ ମିଳୁନାହିଁ। ତେଣୁ ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଗ୍ରାମରୁ କେହି ପ୍ରାର୍ଥିପତ୍ର ଦାଖଲ ମଧ୍ୟ କରିନାହାନ୍ତି। ଏପରି କି ଗ୍ରାମ୍ୟ କମିଟିର ବିନା ଅନୁମତିରେ ସରକାରୀ ଅଫିସର ଓ ରାଜନେତା ଗଁାରେ ପ୍ରବେଶ କରିପାରିବେ ନାହିଁ ବୋଲି ସ୍ଥିର କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।