କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ ନୂଆ ଠିକଣା ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ କିଛି ସାମୁଦ୍ରିକ କଇଁଛ ଶାବକ ବାଟବାଣା ହୋଇ ଉପର ମୁହାଁ ହେଉଛନ୍ତି ତ କିଛି ଜାଲରେ ଲାଗି ଓ ଓଲଟି ପଡି ଛଟପଟ ହେଉଛନ୍ତି। ଉକ୍ତ ଶାବକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସମୁଦ୍ର ଜଳରେ ଛାଡ଼ିବା ପାଇଁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପୋଡ଼ମପେଟା ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌ ପହଞ୍ଚି ସୁରକ୍ଷା ପ୍ରଦାନ କରୁଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଞ୍ଜାମର ଦିଗଦର୍ଶନ ୟୁଥ କ୍ଲବ୍‌ ଓ ତାରିଣିପଲି ଗ୍ରାମର ୟୁଥଫର ଭିଲେଜ ପକ୍ଷରୁ କଇଁଛ ଶାବକ୍‌ଙ୍କ ସୁରକ୍ଷା ପାଇଁ ପ୍ରୟାସ କରାଯାଇଛି। ଦିଗଦର୍ଶନ ଅନୁଷ୍ଠାନର ପ୍ରତିଷ୍ଠାତା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ସଭାପତି ଉମାକାନ୍ତ ବେହେରା, ୟୁଥ ଫର ଭିଲେଜ ସଭାପତି ଡ଼ି.ଦେବହରି ରେଡି, ଶିଶୁ ପରିବେଶବିତ ଡ଼ି. ବ୍ରିଶାଙ୍କ ରେଡି, ରୁପାଲୀ ମହାପାତ୍ର, ମହା ପ୍ରସାଦ ମହାପାତ୍ର, ସୁରଜ ପଣ୍ଡା, ବାସୁଦେବ ଗୌଡ଼, ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ର ଡ଼କ୍ଟର ସୁଶିଲ ଚ୍‌ନାୟକ ପ୍ରମୁଖ ସ୍ବେଚ୍ଛାସେବୀ ଭୋର ସମୟରୁ ବେଳାଭୂମିରେ ପ୍ଲାଷ୍ଟିକ ପାତ୍ର ଧରି ପହଞ୍ଚିବା ସହ କଇଁଛ ଛୁଆ ଗୁଡ଼ିକୁ ସଂଗ୍ରହ କରି ସମୁଦ୍ର ଜଳରେ ସୁରକ୍ଷିତ ଭାବେ ଛାଡ଼ିବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେହିପରି ଭିୟୁଷ ଅନୁଷ୍ଠାନର କୋଡିନେଟର ଜେ. ଟିଟୁ ଓ ସ୍ବେଚ୍ଛାସେବୀ ସି ଏଚ ପଦ୍ମିନୀଙ୍କ ନେତୃତ୍ୱରେ ଉକ୍ତ କଇଁଛ ଛୁଆମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି।