ଭଲିବଲ ଟୁର୍ନାମେଣ୍ଟ: ଫାଇନାଲରେ ପହଞ୍ଚିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି, ୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡ଼ିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟର ୬ଷ୍ଠ ଦିବସ ଶନିବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଗଜପତି ଜିଲାର ଗୁମ୍ମା ଭଲିବଲ ଟିମ୍‌ ପ୍ରତିପକ୍ଷ ଡେଙ୍ଗାପଦର ଭଲିବଲ ଟିମକୁ ପରାଜିତ କରି ଫାଇନାଲରେ ପହଞ୍ଚିଛି। ୫ମ୍ୟାଚ୍‌ ମଧ୍ୟରୁ ଗୁମ୍ମା ଟିମ୍‌ କ୍ରମାଗତ ୩ଟି ମ୍ୟାଚରେ ବିଜୟ ହୋଇ ଫାଇନାଲ ପ୍ରବେଶ କରିଛି।

ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟର ୬ଷ୍ଠ ଦିବସ ସେମି ଫାଇନାଲ ମ୍ୟାଚକୁ ବ୍ରହ୍ମପୁରର ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଟୁର୍ନାମେଣ୍ଟ ଆୟୋଜକ ଅର୍ଦ୍ଦୁ ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ଼, ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ. ସାକିଲି, ବାରିକ ବେହେରା, ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଗୋବିନ୍ଦ ନାୟକ ରେଫେରୀ ଭାବେ ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ଡେଙ୍ଗାପଦର ଭଲିବଲ ଟିମର ଶ୍ରେଷ୍ଠ ଖେଳାଳି କୁଶ ନାୟକଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଭାବେ ଘୋଷଣା କରାଯାଇ ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ହୃଦୟ ନନ୍ଦ, ସମୀର କୁମାର ପଣ୍ଡା, ସନାତନ ରେଡ୍ଡୀ, ନରେନ୍ଦ୍ର ସାହୁ, ବୈକୁଣ୍ଠ ନାଥ ସ୍ବାଇଁ ଙ୍କ ସମେତ ସଭ୍ୟ ବୃନ୍ଦ ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମ୍‌ ଏବଂ ଗୁମ୍ମା ଭଲିବଲ ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ବ୍ୟାଚ୍‌ ରୋଚକପୂର୍ଣ୍ଣ ହେବ ବୋଲି ଟୁର୍ନାମେଣ୍ଟ ଆୟୋଜକ କମିଟି କର୍ମକର୍ତ୍ତା ଜଣାଇଛନ୍ତି।

Share