ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ବିଶିଷ୍ଟ ବ୍ୟବସାୟୀ ତଥା ସାମାଜିକ କର୍ମୀ ଗଣେଶ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ମ୍ୟାଚ୍‌ ଗଜପତି ଜିଲା ଅଡବା ଗ୍ରାମ ଭଲିବଲ ଟିମ୍‌ ଏବଂ ବ୍ରହ୍ମପୁର ପାଓ୍ବର ସିକ୍ସ ଭଲିବଲ ଟିମ୍‌ ମଧ୍ୟରେ ହୋଇଥିଲା। ବ୍ରହ୍ମପୁର ପାୱାର ସିକ୍ସ ୨-୧ ସେଟରେ ମ୍ୟାଚ୍‌ ବିଜୟୀ ହୋଇଥିଲା।

ଟୁର୍ନାମେଣ୍ଟ ଆୟୋଜକ ଅର୍ଦ୍ଦୁ ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନ ସଭାରେ ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ, ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦୀପକ କୁମାର ମିଶ୍ର, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଏମ୍‌ ଗୌରାଙ୍ଗ, ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ ସାକିଲି, ବାରିକ ବେହେରା, ଲୋକନାଥ ପାଣିଗ୍ରାହୀ, କେ କୁନା ପ୍ରମୁଖ ଉପସ୍ଥିତ ଥିଲେ। ଗୋବିନ୍ଦ ନାୟକ ରେଫେରୀ ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।