ଭାଇଜାଗ୍‌ ଗ୍ଲାସ୍‌ ବ୍ରିଜ୍‌ ଚମତ୍କାର, ହେଲେ ମୁଁ ସେଠାକୁ ଯିବି ନାହିଁ, କାହିଁକି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା…

ସୋସିଆଲ ମିଡିଆରେ ଆକର୍ଷଣୀୟ ତଥା ମଜାଳିଆ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଏବେ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏଥର ମହିନ୍ଦ୍ରା ଦେଶର ନୂତନ ଏବଂ ସବୁଠାରୁ ଚମତ୍କାର ପର୍ଯ୍ୟଟନ ସ୍ଥଳ ବିଶାଖାପାଟଣାର ଗ୍ଲାସ୍‌ ବ୍ରିଜ୍‌ ଉପରେ ମନ୍ତବ୍ୟ ଦେଇଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇଜାଗ୍‌ର କୈଳାସଗିରି ପାହାଡ଼ ଉପରେ ନିର୍ମିତ ଏହି ଗ୍ଲାସ୍‌ ସ୍କାଏ ଓ୍ବାକ୍‌ ଆସନ୍ତା ସପ୍ତାହରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ଚମତ୍କାର ସେତୁ ୫୫ ମିଟର ଲମ୍ବା ଏବଂ ସମୁଦ୍ର ପତ୍ତନଠାରୁ ପ୍ରାୟ ୨୬୨ ମିଟର ଉଚ୍ଚତାରେ ରହିଛି। ଏଠାରୁ ଭାଇଜାଗ୍‌ ସହର ଏବଂ ବଙ୍ଗୋପସାଗରର ସୁନ୍ଦର ଦୃଶ୍ୟ ଦେଖିପାରିବେ। କେବଳ ଏତିକି ନୁହେଁ, ଏହାକୁ ଭାରତରେ ସ୍ଥାପତ୍ୟର ଏକ ନୂତନ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।

‘X’ରେ ଏହି ଗ୍ଲାସ୍‌ ସ୍କାଏ ଓ୍ବାକ୍‌ର ଏକ ଭିଡିଓ ଶେୟାର କରି ଶିଳ୍ପପତି ମହିନ୍ଦ୍ରା ଲେଖିଛନ୍ତି, ଏହି ବ୍ରିଜ ଚମତ୍କାର। କିନ୍ତୁ ଏହା ମୋ’ ବକେଟ ତାଲିକାରେ ନାହିଁ। ସ୍ପଷ୍ଟ ଭାବରେ, ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବା ବ୍ୟକ୍ତି ଏହା କିପରି କହିପାରନ୍ତି ତାହା ପଢ଼ି ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

ମହିନ୍ଦ୍ରା ଏହାର କାରଣ କହିଛନ୍ତି ଯେ, ସେ ଉଚ୍ଚତାକୁ ଭୟ କରନ୍ତି। ସେ କହିଛନ୍ତି, ଉଚ୍ଚତା ସହିତ ମୋର ସମ୍ପର୍କ ଟିକେ ଜଟିଳ। ସେଥିପାଇଁ ମୁଁ ଏହାକୁ ଦୂରରୁ ଦେଖି ଖୁସି ହେବି ଏବଂ କେବଳ ଭିଡିଓରେ ଏହାକୁ ଉପଭୋଗ କରିବି।

ତାଙ୍କର ଏହି ସ୍ପଷ୍ଟ ଏବଂ ସତ୍ୟ ସ୍ବୀକାରୋକ୍ତି ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଇଛି। ୟୁଜର୍ସମାନେ ମଧ୍ୟ ସେମାନଙ୍କର ଅଭିଜ୍ଞତା ଶେୟାର କରି କହିଛନ୍ତି, ସେମାନେ ମଧ୍ୟ ଉଚ୍ଚତାକୁ ଭୟ କରନ୍ତି ଏବଂ ମହିନ୍ଦ୍ରାଙ୍କ ପରି ଭିଡିଓ ଦେଖିବା ପରେ ଖୁସି ହୁଅନ୍ତି।

Share