‘ଫେଷ୍ଟିଭ୍‌ ସିଜନ୍‌ ସେଲ୍‌’ ଆରମ୍ଭ କଲା Vistara; ୧,୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା…

ନୂଆଦିଲ୍ଲୀ,୮।୧୧: ପ୍ରମୁଖ ବିମାନ କମ୍ପାନୀ ‘ବିସ୍ତାରା’ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏକ ସ୍ବତନ୍ତ୍ର ‘ସେଲ୍‌’ ଆରମ୍ଭ କରିଛି। ଏହାର ଲାଭ ଉଠାଇ ଯେକେହି ନିଜର ଆଗାମୀ ବିମାନ ଯାତ୍ରା ଲାଗି ଏବେଠାରୁ ଶସ୍ତାରେ ଟିକେଟ କିଣିପାରିବେ। ବିମାନ କମ୍ପାନୀ ଘରୋଇ ନେଟଓ୍ବାର୍କରେ ୩ ଦିନର ସେଲ୍‌ ଆରମ୍ଭ କରିଛି। ନଭେମ୍ବର ୭ ମଧ୍ୟରାତ୍ରରୁ ଏହା ଆରମ୍ଭ ହୋଇସାରିଥିବା ବେଳେ ନଭେମ୍ବର ୯ ରାତିଯାଏ ଚାଲିବ। ଅର୍ଥାତ ବିସ୍ତାରା ନିଜର ସେଲ୍‌ ୭୨ ଘଣ୍ଟା ଯାଏ ଚାଲୁ ରଖିବ।

ବିସ୍ତାରାର ସମସ୍ତ ଅଫର ଆସନ୍ତା ବର୍ଷ ଏପ୍ରିଲ ୧୦ ଯାଏ ଯାତ୍ରା ଲାଗି ବୈଧ ରହିବ। ଏଥିରେ ତିନୋଟି ଯାକ କ୍ୟାବିନ କ୍ଲାସ ଟିକେଟ ଉପରେ ରିହାତି ମିଳିବ। ଏଥିସହ ‘ପ୍ରଥମେ ଆସନ୍ତୁ ପ୍ରଥମେ ପାଆନ୍ତୁ ’ଆଧାରରେ ଅଫର ଥିବା ସିଟ୍‌ ଉପଲବ୍ଧ ରହିବ। ଇକୋନୋମି କ୍ଲାସ ଲାଗି ଗୋଟିଏ ପଟର ଭଡ଼ା ୧,୯୯୯ ଟଙ୍କା, ପ୍ରିମିୟମ ଇକୋନୋମି ଲାଗି ୨,୭୯୯ ଟଙ୍କା ଏବଂ ବିଜିନେସ୍‌ କ୍ଲାସ ଲାଗି ୧୦,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ସେଲ ଅନୁଯାୟୀ ଏହାର ବୁକିଂ ସମସ୍ତ ପ୍ଲାଟ୍‌ଫର୍ମରେ ହୋଇପାରୁଛି।

ତେବେ ଏଥିଲାଗି ଯେକେହି କମ୍ପାନୀର ଓ୍ବେବ୍‌ସାଇଟ୍‌ , ଏହାର ମୋବାଇଲ ଆପ୍‌, ବିସ୍ତାରାର ବିମାନବନ୍ଦର ଟିକେଟ ଅଫିସ, କଲ ସେଣ୍ଟର, ଅନଲାଇନ୍‌ ଟ୍ରାଭେଲ ଏଜେନ୍ସି ଏବଂ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ଟିକେଟ ବୁକ୍‌ କରିପାରିବେ।