ଗଞ୍ଜାମ,୧୫।୧ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ବୋରିଗାଁ ନିକଟସ୍ଥ ରାଣିବର ପାହାଡ ଉପରେ ରହିଛି ଶ୍ରୀ ଶ୍ରୀ ବାବା ଝାଡେଶ୍ୱର ଶୈବ ପୀଠ। ଏହି ପୀଠ ହେଉଛି ବହୁ ପୁରାତନ । ଏହାର ବହୁ କିମ୍ବଦନ୍ତି ରହିଛି । ପ୍ରଭୁ ଶ୍ରୀରାମଙ୍କ ନବାସ ସମୟରେ ମାତା ସୀତାଙ୍କ ଅନୁସନ୍ଧାନ ନିମନ୍ତେ ଲଙ୍କା ଅଭିମୁଖେ ଯିବା ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ଇତିହାସରୁ ଜଣାଯାଏ । ପ୍ରତ୍ୟେକ ୧୨ ବର୍ଷକୁ ଥରେ ଜଗତର କଲ୍ୟାଣ ନିମନ୍ତେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଫ୍ରେବୃୟାରୀ ୯ରେ ବିଶ୍ୱଶାନ୍ତି ମହାଯଜ୍ଞ ମହାଆଡ଼ମ୍ବର ସହକାରରେ ପାଳନ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି । ଏଥି ନିମନ୍ତେ ପରିଚାଳନା କମିଟି ଗଠନ ହୋଇଛି । ଶୈବ ପୀଠକୁ ଅଧିକ ସାଜ୍ଜସଜ୍ଜା କରାଯିବା ସହିତ ଭକ୍ତଙ୍କ ସୁବିଧା ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ବୋରିଗାଁ ସମେତ ଆଖପାଖ ୮ ଖଣ୍ଡ ଗ୍ରାମବାସୀଙ୍କ ମିଳିତ ପ୍ରସ୍ତୁତି ବୈଠକ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଚଳିତ ବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ଫେବୃଆରୀ ମାସ ୯ ତାରିଖ ଠାରୁ ଆରମ୍ଭ ହେବା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ପଲାଇ ସୂଚନା ଦେଇଛନ୍ତି । ଏହି ଅବସରରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ, ଗୀତାଯଜ୍ଞ ଓ ଗୋ -ଯଜ୍ଞ ଅନୁଷ୍ଠିତ ହେବ ବୋଲି ନିସତୀ ନିଆଯାଇଛି ବୋଲି କମିଟି ସମ୍ପାଦକ ଜୟ ଦେବ ପ୍ରଧାନ ସୂଚନା ଦେଇଛନ୍ତି । ପାଞ୍ଚଟି ପଞ୍ଚାୟତର ୨୧ ଠାକୁରଙ୍କ ମହା ମିଳନ ହେବ । ଏହି ମହାଯଜ୍ଞରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଭକ୍ତଙ୍କ ପ୍ରସାଦ ସେବନ ଠାରୁ ଆରମ୍ଭ କରି ଦର୍ଶନ ଏବଂ ଅନ୍ୟାନ୍ୟର ସୁବ୍ୟବସ୍ଥା କରାଯିବ । ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ଉପଲକ୍ଷେ ମିନା ବଜାର, ରାମ ଦୋଳି ଇତ୍ୟାଦି ଦର୍ଶକ ଉପଭୋଗ କରିବେ ବୋଲି ପରିଚାଳନା କମିଟି ସଭାପତି କବିରାଜ ସ୍ବାଇଁ କହିଛନ୍ତି । ଏହି ବିଶ୍ୱ ଶାନ୍ତି ମହା ଯଜ୍ଞକୁ ବୋରିଗାଁ, ବଳଦିଆ ଢିଅ, ଲୁଂଘୁରି, ପଣିବନ୍ଧ, କୁଶପଲ୍ଲୀ, ନୁଆଁ କୁଶପଲ୍ଲୀ, କାଠଗଡା, ଚୈତନ୍ୟପୁର ଆଦି ଆଠ ଗ୍ରାମବାସୀ ପରିଚାଳନା କରୁଛନ୍ତି ।