‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ ବିରେନ୍ଦ୍ର ସେହ୍ବାଗ ବିଗ୍‌ ବି ଅମିତାଭଙ୍କ ସହ ଏହି ଖେଳ ଖେଳିବେ। ଏହି ସ୍ପେଶାଲ ଏପିସୋଡ ସେପ୍ଟେମ୍ବର ୩ରେ ପ୍ରସାରିତ ହେବାକୁ ଯାଉଛି।

ସୋନି ଚ୍ୟାନେଲ ପକ୍ଷରୁ ଶେୟାର କରାଯାଇଥିବା ପ୍ରୋମା ଅନୁଯାୟୀ ସେହ୍ବାଗଙ୍କୁ ମଜା କରୁଥିବା ଦେଖାଯାଇଛି। ପରିସ୍ଥିତି ମୁତାବକ ଗୀତ ଚୟନଠାରୁ ଆରମ୍ଭ କରି ଡାଏଲଗ୍‌କୁ ନେଇ ଅମିତାଭ କରିଥିବା ପ୍ରଶ୍ନର ମଜାଳିଆ ଉତ୍ତର ଦେଉଛନ୍ତି କ୍ରିକେଟର। ଫିଲ୍ଡିଂ କରୁଥିବା ବେଳେ କ୍ୟାଚ୍‌ ଛାଡ଼ିଦେଲେ କେଉଁ ଗୀତ ଗାଇବେ ପ୍ରଶ୍ନରେ ସେହ୍ବାଗ କହିଛନ୍ତି, ଯଦି କୋଚ୍‌ ଗ୍ରେଗ୍‌ ଚାପେଲ ଏବଂ ସୌରଭ ତାହା କରିଛନ୍ତି ତେବେ ଗୀତ ରହିବ ‘ଆପନେ ତୋ ଯେସେ ତେସେ କଟ ଜାଏଗୀ’।

ସେହିଭଳି ଯଦି ପାକିସ୍ତାନ ଏବଂ ଅଷ୍ଟ୍ରେଲିଆଠାରୁ ଭାରତ ଜିତିଯାଏ ତେବେ କେଉଁ ଡାଏଲଗ କହିବେ ବୋଲି ଅମିତାଭ ପ୍ରଶ୍ନ କରିଥିଲେ। ଜବାବରେ ସେହ୍ବାଗ ‘ରିସ୍ତେ ମେ ହମ୍‌ ତୁମ୍ହାରେ ବାପ୍‌ ଲଗ୍‌ତେ ହେ’ ବୋଲି କହିଥିଲେ। ପରେ ‘ରିସ୍ତେ ମେ ହମ୍‌ ପାକିସ୍ତାନ କେ ବାପ୍‌ ହୈ’ ବୋଲି ସେ କହିଥିଲେ। ଏହାଶୁଣି ବିଗ୍‌ ବି ଜୋର୍‌ରେ ହସୁଥିବା ଦେଖାଯାଇଛି।