ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପରେ ଗର୍ଜିବ ବିରାଟଙ୍କ ବ୍ୟାଟ୍‌! ଇଂଲଣ୍ଡ-ପାକିସ୍ତାନ ବିପକ୍ଷରେ ହେବ ରନ୍‌ ବର୍ଷା, ରହିଛି ଏଭଳି ସଂଯୋଗ

ନୂଆଦିଲ୍ଲୀ,୧୦।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଟିମ୍‌ର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସହ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି। କିଛି ଲୋକ ତାଙ୍କୁ ଟିମ୍‌ରୁ ବାଦ୍‌ ଦେବାକୁ ଦାବି କରୁଛନ୍ତି। ଏସବୁ ମଧ୍ୟରେ କୋହଲି ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜି ମହାରାଜଙ୍କୁ ଦର୍ଶନ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କର ଫର୍ମକୁ ଫେରିବାର ଆଶା ବଢ଼ିଯାଇଛି। ଆପଣ ଭାବୁଥିବେ କାହିଁକି? ଏହା ପଛର କାରଣଟି ହେଲା ସ୍ବତନ୍ତ୍ର ସଂଯୋଗ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଏବଂ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ମାସରୁ ଆରମ୍ଭ ହେବ। ଏମିତିରେ କୋହଲି ଏବେ ବ୍ରେକ୍‌ରେ ଅଛନ୍ତି। କିଛିଦିନ ପୂର୍ବେ ଅଷ୍ଟ୍ରେଲିଆରୁ ଫେରି ସେ ବ୍ରେକ୍‌ରେ ଯାଇ ପ୍ରଥମ କାମ ବୃନ୍ଦାବନ ଯାଇଛନ୍ତି। ତାଙ୍କ ସହ ପତ୍ନୀ ଅନୁଷ୍କା ଶର୍ମା ଏବଂ ଦୁଇ ସନ୍ତାନ ଥିଲେ। ସୋସିଆଲ ମିଡିଆରେ ଏହା ଆସିବା ପରେ ବିରାଟ ପୁଣି ଧମାକା କରିବାର ଆଶା ସୃଷ୍ଟି ହୋଇଛି।

ଏହା ପଛରେ ଦୁଇ ବର୍ଷ ପୁରୁଣା ସଂଯୋଗ ଅଛି। ୨୦୨୩ ଜାନୁଆରୀ ୬ରେ ବିରାଟ ଏବଂ ଅନୁଷ୍କା ମହାରାଜଙ୍କ ଦର୍ଶନ ଲାଗି ପହଞ୍ଚିଥିଲେ। ଏହାର ତୁରନ୍ତ ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା। ଏଥିରେ କୋହଲି ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିଲେ। ଏହା ଘରୋଇ ମଇଦାନରେ ପ୍ରାୟ ୩ ବର୍ଷ ପରେ କୋହଲିଙ୍କ ପ୍ରଥମ ଶତକ ଥିଲା।

କୋହଲି ଏତିକିରେ ରହିଯାଇ ନ ଥିଲେ। ସେ ଟେଷ୍ଟ କ୍ରିକେଟରେ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ। ସେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ। ପରେ ବିଶ୍ୱକପ ୨୦୨୩ରେ ରନ୍‌ ବର୍ଷା କରି ୭୦୦ରୁ ଅଧିକ ରନ୍‌ କରି ସମସ୍ତ ରେକର୍ଡ ଭାଙ୍ଗିଥିଲେ। ଏବେ ପୁଣି ଥରେ ନୂଆ ବର୍ଷର ଆରମ୍ଭ ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନରୁ କରିଛନ୍ତି। ଏମିତିରେ ପ୍ରଶଂସକ ଆଶା ରଖିଛନ୍ତି ଯେ କୋହଲି ପ୍ରଥମେ ଇଂଲଣ୍ଡ ଏବଂ ପରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ସମେତ ଅନ୍ୟ ଟିମ୍‌ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିବେ।

Share
Tags: Sports News