Categories: Home Leftଖେଳ

ଇତିହାସ ରଚିଲେ ବିରାଟ କୋହଲି: ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ

ରାଞ୍ଚି,୩୦।୧୧: ଭାରତୀୟ କ୍ରିକେଟର ‘ରନ୍ ମେସିନ୍’ ବିରାଟ କୋହଲି ରବିବାର ପୁଣି ଥରେ ଇତିହାସ ରଚିଛନ୍ତି। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ସେ ତାଙ୍କ କ୍ୟାରିୟରର ୫୨ତମ ଦିନିକିଆ ଶତକ ହାସଲ କରିଛନ୍ତି।

ଏହି ବିଶାଳ ଇନିଂସ୍ ସହିତ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଏକ ବିରାଟ ରେକର୍ଡକୁ ଭାଙ୍ଗିଛନ୍ତି। ସଚିନ ଟେଷ୍ଟ କ୍ରିକେଟରେ ୫୧ଟି ଶତକ ମାରି କ୍ରିକେଟର ଗୋଟିଏ ଫର୍ମାଟରେ ସର୍ବାଧିକ ଶତକ କରିବାର ରେକର୍ଡର ଅଧିକାରୀ ଥିଲେ। ଏବେ କୋହଲି ୫୨ଟି ଦିନିକିଆ ଶତକ ସହ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଏହା ବ୍ୟତୀତ ସେ ନିଜର ଦିନିକିଆ ଶତକ ସଂଖ୍ୟାକୁ ସଚିନଙ୍କ (୪୯ ଶତକ) ଠାରୁ ଅଧିକ କରି ନିଜର ପୂର୍ବ ରେକର୍ଡକୁ ଆହୁରି ମଜବୁତ କରିଛନ୍ତି।

ଏହା ତାଙ୍କ କ୍ୟାରିୟରର ୮୩ତମ ଆନ୍ତର୍ଜାତିକ ଶତକ। ସେ କେବଳ ସଚିନ ତେନ୍ଦୁଲକରଙ୍କ (୧୦୦ ଶତକ) ଠାରୁ ପଛରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ତାଙ୍କର ୬ଷ୍ଠ ଦିନିକିଆ ଶତକ। ଏହି କ୍ରମରେ ସେ ସଚିନ ତେନ୍ଦୁଲକର ଏବଂ ଡେଭିଡ ୱାର୍ଣ୍ଣର (ଉଭୟ ୫ ଶତକ) ଙ୍କୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲ କରିବାର ରେକର୍ଡରେ ଏକାକୀ ଶୀର୍ଷରେ ଅଛନ୍ତି।

୩୬ ବର୍ଷୀୟ ଏହି ବ୍ୟାଟିଂ ଆଇକନ୍ ଆଗାମୀ ମ୍ୟାଚ୍ ଗୁଡ଼ିକରେ ୨୮,୦୦୦ ଆନ୍ତର୍ଜାତିକ ରନ୍ ପୂରଣ କରିବା ଉପରେ ନଜର ରଖିଛନ୍ତି। ସଚିନ ତେନ୍ଦୁଲକର ଏବଂ କୁମାର ସାଙ୍ଗାକାରାଙ୍କ ପରେ ସେ ଏହି ସଫଳତା ହାସଲ କରିବାରେ ବିଶ୍ୱର ତୃତୀୟ କ୍ରିକେଟର ହେବେ। ସିରିଜ ଆରମ୍ଭ ପୂର୍ବରୁ ତାଙ୍କୁ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ୩୩୭ ରନର ଆବଶ୍ୟକତା ଥିଲା।