Categories: Home Leftଖେଳ

ଟିମ ଇଣ୍ଡିଆର ସବୁ ଖେଳାଳି ପାସ୍‌ କଲେ ୟୋ-ୟୋ ଟେଷ୍ଟ

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପୂର୍ବରୁ ବେଙ୍ଗାଲୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଅଗଷ୍ଟ ୨୪ରୁ ଭାରତୀୟ ଖେଳାଳି ୬ ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଛ। ଏହି କ୍ୟାମ୍ପର ପ୍ରଥମ ଦିନରେ, ଆଗାମୀ ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୭ ଜଣିଆ ଦଳରେ ଅନ୍ତର୍ଭୁକ୍ତ ଖେଳାଳିଙ୍କ ଫିଟ୍‌ନେସ ଟେଷ୍ଟ ନିଆଯାଇଥିଲା, ଯେଉଁଥିରେ ଲୋକେଶ ରାହୁଲଙ୍କ ବ୍ୟତୀତ ସମସ୍ତେ ସାମିଲ ଥିଲେ। ଦଳର ସମସ୍ତ ଖେଳାଳି ୟୋ-ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବିରାଟ କୋହଲି ୧୭.୨ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି।

ବିସିସିଆଇ ପକ୍ଷରୁ ୟୋ-ୟୋ ଟେଷ୍ଟ ପାସ୍‌ କରିବା ପାଇଁ ଯେଉଁ ମାନକ ନିଶ୍ଚିତ କରାଯାଇଛି ତାହା ଅନୁଯାୟୀ, ଜଣେ ଖେଳାଳିଙ୍କୁ ୧୬.୫ ପଏଣ୍ଟ ହାସଲ କରିବାକୁ ପଡିବ। ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ୟୋ-ୟୋ ପରୀକ୍ଷାରେ ପାସ୍‌ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସମସ୍ତେ ଫିଟ୍‌ନେସ ଟେଷ୍ଟରେ ସଫଳ ହୋଇଛନ୍ତି ଏବଂ ଖୁବ ଶୀଘ୍ର ରିପୋର୍ଟ ବିସିସିଆଇକୁ ପଠାଯିବ। ଯସପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣା, ସଞ୍ଜୁ ସାମସନ ଏବଂ ତିଳକ ବର୍ମା ୨୫ ଅଗଷ୍ଟରେ ଏହି କ୍ୟାମ୍ପରେ ଯୋଗଦେବେ ବୋଲି ଆଶା କରାଯାଉଛି। ତେବେ ଏହି ସବୁ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ନିଆଯିବ ନାହିଁ।

ଏହି ସମସ୍ତ ଖେଳାଳି ଆୟର୍ଲାଣ୍ଡ ବିପକ୍ଷରେ ଶେଷ ହୋଇଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳର ଅଂଶ ହୋଇଥିଲେ। ଏହି କଣ୍ଡିସନଙ୍ଗ୍‌ର କ୍ୟାମ୍ପର ପ୍ରଥମ ଦିନରେ ସମସ୍ତ ଖେଳାଳିଙ୍କ ଫିଟନେସ ପରୀକ୍ଷା ପରେ, ଦ୍ୱିତୀୟ ଦିନରେ ଆଉଟ୍‌ଡୋର ଅଭ୍ୟାସ ଆରମ୍ଭ ହେବ।