Categories: Home Middleଖେଳ

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଗୁରୁବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (DDCA) ପକ୍ଷରୁ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୧୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଛନ୍ତି। ୨୦୧୦ ଫେବୃଆରୀରେ ସେ ଶେଷ ଥର ପାଇଁ ବିଜୟ ହଜାରେ ଟ୍ରଫିରେ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳରେ ଥିବା କିନ୍ତୁ କୌଣସି ମ୍ୟାଚ୍ ଖେଳିନଥିବା ଋଷଭ ପନ୍ତ ମଧ୍ୟ ଦଳରେ ଯୋଗ ଦେବେ। ସେ ୨୦୨୪ ଅଗଷ୍ଟ ପରେ ତାଙ୍କର ପ୍ରଥମ ୫୦ ଓଭର ମ୍ୟାଚ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

DDCA କହିଛି ଯେ, “ବିଜୟ ହଜାରେ ଟ୍ରଫି ପାଇଁ ଚୟନକର୍ତ୍ତାମାନେ ଦିଲ୍ଲୀ ସିନିଅର୍ ପୁରୁଷ ଦଳ ପାଇଁ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିଛନ୍ତି। ଏଥିରେ ସୟଦ ମୁସ୍ତାକ ଅଲି ଟ୍ରଫି ଦଳ ପାଇଁ ମନୋନୀତ ଖେଳାଳିଙ୍କ ସହ ବିରାଟ କୋହଲି ଏବଂ ଋଷଭ ପନ୍ତ ଯୋଗ ଦେବେ।”

ଦିଲ୍ଲୀ ଡିସେମ୍ବର ୨୪ ତାରିଖରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚରେ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିବାର ସମ୍ଭାବନା ଅଛି।

ଫିଟ୍ ଥିବା ଏବଂ ଜାତୀୟ ଦାୟିତ୍ୱରେ ନ ଥିବା କେନ୍ଦ୍ରୀୟ ଚୁକ୍ତିଭୁକ୍ତ ଖେଳାଳିଙ୍କୁ ଘରୋଇ କ୍ରିକେଟ୍ ଖେଳିବା ପାଇଁ BCCIର ନିର୍ଦ୍ଦେଶ ପରିପ୍ରେକ୍ଷୀରେ କୋହଲିଙ୍କର ଏହି ପ୍ରତ୍ୟାବର୍ତ୍ତନ ହେଉଛି।

Share