Categories: Home Leftଖେଳ

ଟେଷ୍ଟ କ୍ରିକେଟ୍‌କୁ ଫେରିବେ ଖବର ପରେ ମୁହଁ ଖୋଲିଲେ ବିରାଟ, ”ଖେଳିବା ଜାରି ରଖିବି”

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିବା ପରେ, ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ତାଙ୍କ ଟେଷ୍ଟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନକୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନାରେ, କୋହଲି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଏବେ କେବଳ ଗୋଟିଏ ଫର୍ମାଟ୍, ଅର୍ଥାତ୍ ଦିନିକିଆରେ ସୀମିତ ରହିବ।

କୋହଲି ସ୍ପଷ୍ଟ କରିଛନ୍ତି ‘ମୁଁ କେବଳ ଗୋଟିଏ ଫର୍ମାଟରେ ଖେଳୁଛି, ଏବଂ ଏହା ସର୍ବଦା ସେହିପରି ରହିବ।’ ୩୭ ବର୍ଷୀୟ କୋହଲି କହିଛନ୍ତି ଯେ ୩୦୦ରୁ ଅଧିକ ମ୍ୟାଚ୍ ଖେଳିବା ପରେ, ତାହା ପ୍ରତିଫଳନ ଏବଂ ଶାରୀରିକ କ୍ଷମତା ଉପରେ ନିର୍ଭର କରେ। ଯେପର୍ଯ୍ୟନ୍ତ ସେ ଭଲ ବ୍ୟାଟିଂ କରୁଛନ୍ତି ଏବଂ ଶାରୀରିକ ଭାବେ ଫିଟ୍ ଓ ମାନସିକ ସ୍ତରରେ ଉତ୍ସାହିତ ଅଛନ୍ତି, ସେ ଖେଳିଚାଲିବେ।

ଗତ କିଛି ଦିନ ହେବ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଓ ରୋହିତ ଶର୍ମାଙ୍କୁ ଟେଷ୍ଟକୁ ଫେରାଇ ଆଣିବା ପାଇଁ ଚର୍ଚ୍ଚା ଜୋର ଧରିଥିଲା। ତେବେ BCCI ସଚିବ ଦେବଜିତ ସାଇକିଆ ଏହି ଗୁଜବକୁ ପୂର୍ବରୁ ଖଣ୍ଡନ କରିଛନ୍ତି।

ରାଞ୍ଚିରେ କୋହଲି ୧୨୦ ବଲ୍‌ରେ ୧୧ ଚୌକା ଓ ୭ ଛକା ସହାୟତାରେ ଏକ ଚମତ୍କାର ୧୩୫ ରନର ଇନିଂସ୍ ଖେଳି ଟିମ୍ ଇଣ୍ଡିଆକୁ ୧୭ ରନରେ ବିଜୟୀ କରାଇଥିଲେ। ଏହା ତାଙ୍କର ୮୩ ତମ ଆନ୍ତର୍ଜାତୀୟ ଶତକ ଏବଂ ଦିନିକିଆ ଫର୍ମାଟରେ ୫୨ତମ ଶତକ ଥିଲା।

କୋହଲି ଓ ରୋହିତ ଶର୍ମା ଉଭୟ ଏହି ବର୍ଷ ମେ ମାସରେ ଟେଷ୍ଟ ଏବଂ T20Iରୁ ଅବସର ନେଇ ସାରିଛନ୍ତି ଏବଂ ବର୍ତ୍ତମାନ କେବଳ ୨୦୨୭ ବିଶ୍ୱକପ୍ ପାଇଁ ଦିନିକିଆ ଫର୍ମାଟ୍ ଉପରେ ଧ୍ୟାନ ଦେଉଛନ୍ତି।