ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!

ନୂଆଦିଲ୍ଲୀ,୧୮।୩: ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି ଆଶାକୁ ଅଧିକ ବୃଦ୍ଧି କରିଛି ପୂର୍ବତନ କ୍ରିକେଟର ଏ ବି ଡିଭିଲିୟର୍ସଙ୍କ ପରାମର୍ଶ। ସେ କହିଛନ୍ତି ଯେ ଚଳିତ ସିଜନରେ କୋହଲିଙ୍କୁ ବ୍ୟାଟିଂ ଅଧିନାୟକ କରିବା ଉଚିତ। ତାଙ୍କ ଉପରେ ବ୍ୟାଟିଂ କ୍ରମକୁ ଭାଙ୍ଗିଯିବାକୁ ନ ଦେବାର ଦାୟିତ୍ୱ ଦେବାକୁ ହେବ। ତାଙ୍କୁ ସ୍ମାର୍ଟ କ୍ରିକେଟ ଖେଳି ଦଳର ଦାୟିତ୍ୱ ନେବା ଉଚିତ ବୋଲି ସେ କହିଛନ୍ତି।

ଡିଭିଲିୟର୍ସ କହିଛନ୍ତି ଯେ, RCBରେ ଫିଲ ସଲ୍ଟ ଭଳି ଖେଳାଳିଙ୍କ ଉପସ୍ଥିତି ବିରାଟଙ୍କ ଉପରେ ଚାପ ହ୍ରାସ କରିବ। ଯାହା ଫଳରେ ସେ ଅଧିକ ସ୍ବାଧୀନତାର ସହିତ ଖେଳିପାରିବେ। ଗତ ଦୁଇଟି ସିଜିନରେ କୋହଲିଙ୍କ ଷ୍ଟ୍ରାଇକ ରେଟ ବିଷୟରେ ଆଲୋଚନା ହୋଇଛି। ତଥାପି, RCB ଏହି ସିଜନରେ ଇଂଲଣ୍ଡର ଫିଲ ସଲ୍ଟ ଏବଂ ଲିଆମ ଲିଭିଙ୍ଗଷ୍ଟୋନ, ଅଷ୍ଟ୍ରେଲିଆର ଟିମ ଡେଭିଡ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ର ରୋମାରିଓ ସେଫର୍ଡଙ୍କ ପରି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିଛି। ଏ ବି ଡିଭିଲିୟର୍ସ ବିଶ୍ୱାସ କରନ୍ତି ଯେ ଏହି ଖେଳାଳିମାନଙ୍କ ଉପସ୍ଥିତି ବିରାଟଙ୍କୁ ଅଧିକ ସ୍ବାଧୀନତା ଦେବ। କୋହଲିଙ୍କୁ ତାଙ୍କର ଷ୍ଟ୍ରାଇକ ରେଟ୍‌ ବୃଦ୍ଧି କରିବାର ଚାପ ନେବାକୁ ପଡ଼ିବ ନାହିଁ।

ଏହାଛଡ଼ା ଏହି ସିଜନରେ ଆର୍‌ସିବିର ଟିମ୍‌ ଶକ୍ତିଶାଳୀ ଅଛି। ଯଦି ସେମାନେ ସଠିକ୍‌ ରଣନୀତି ସହିତ ଖେଳିବେ, ତେବେ ସେମାନେ ସେମାନଙ୍କର ପ୍ରଥମ ଆଇପିଏଲ୍‌ ଟାଇଟଲ୍‌ ଜିତିପାରିବେ ବୋଲି ସେ କହିଛନ୍ତି।