Categories: ଖେଳ

ଆର୍‌ସିବିର ସହଜ ବିଜୟ: ସଲ୍ଟ, କୋହଲିଙ୍କ ଅର୍ଦ୍ଧଶତକ

ଜୟପୁର,୧୩ା୪: ବୋଲରଙ୍କ ମାପଚୁପ ବୋଲିଂ ଓ ପରେ ଫିଲ୍‌ ସଲ୍ଟ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ୯ ଉଇକେଟରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌)କୁ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟକୁ ବେଙ୍ଗାଲୁରୁ ୧୭.୩ ଓଭରରେ ୧ ଉଇକେଟ ହରାଇ ହାସଲ କରିନେଇଥିଲା। ଏହା ବେଙ୍ଗାଲୁରୁର ଚତୁର୍ଥ ବିଜୟ ହୋଇଥିବା ବେଳେ ରାଜସ୍ଥାନ ଲାଗି ଏହା ଚତୁର୍ଥ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା। ଦଳ ପକ୍ଷରୁ ଜଶସ୍ବୀ ଜୟସ୍ବାଲ ୪୭ ବଲରେ ସର୍ବାଧିକ ୭୫ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ୍‌ରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଜୁରେଲ ୨୩ ବଲରେ ୨ ଲେଖାଏ ଚୌକା ଓ ଛକା ସହିତ ୩୫ ରନ୍‌ କରି ଅପରାଜିତ ରହିଥିବା ବେଳେ ରିୟାନ ପରାଗ ୨୨ ବଲରେ ୩ ଚୌକା ଓ ୧ ଛକା ସହିତ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମ୍‌ସନ(୧୫) ଓ ଶିମରନ ହେଟମେୟର(୯) ବିଫଳ ହୋଇଥିଲେ।

ଆର୍‌ସିବି ପକ୍ଷରୁ ଭୁବନେଶ୍ୱର କୁମାର, ୟଶ୍‌ ଦୟାଲ, ଜୋଶ୍‌ ହାଜେଲଉଡ୍‌ ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଆର୍‌ସିବିକୁ ସଲ୍ଟ ଓ କୋହଲି ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୁହେଁ ୮.୪ ଓଭରରେ ୯୨ ରନ୍‌ ଯୋଡ଼ିଥିଲେ। ରାଜସ୍ଥାନ ଫିଲ୍ଡରମାନେ ଅନେକ କ୍ୟାଚ୍‌ ହାତଛଡ଼ା କରି ଦୁହିଙ୍କୁ ଯଥେଷ୍ଟ ସହଯୋଗ କରିଥିଲେ। ସଲ୍ଟ ୩୩ ବଲରେ ୫ ଚୌକା ଓ ୬ ଛକା ସହିତ ୬୫ ରନ୍‌ କରି କୁମାର କାର୍ତ୍ତିକେୟଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ଏହାପରେ ଦେବଦତ୍ତ ପଡିକଲଙ୍କ ସହ ମିଶି କୋହଲି ଅବିଭାଜିତ ଦ୍ୱିତୀୟ ଉଇକେଟରେ ୮୩ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। କୋହଲି ୪୫ ବଲରେ ୪ ଚୌକା ଓ ୨ ଛକା ସହ ୬୨ ଓ ପଡିକଲ ୨୮ ବଲରେ ୫ ଚୌକା ଓ ୧ ଛକା ସହ ୪୦ ରନ୍‌ କରି ଅପରାଜିତ ରହିଥିଲେ। ଚଳିତ ଆଇପିଏଲ୍‌ରେ କୋହଲିଙ୍କର ଏହା ତୃତୀୟ ଅର୍ଦ୍ଧଶତକ ଥିଲା। ରାଜସ୍ଥାନ ପକ୍ଷରୁ କାର୍ତ୍ତିକେୟ ଏକମାତ୍ର ଉଇକେଟ ନେଇଥିଲେ।

Share