ଦୁବାଇ,୨୪।୨: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ ପ୍ରମୁଖ ହିରୋ ସାଜିଥିଲେ। ଏହି ମ୍ୟାଚ୍ରେ ବିରାଟ ୧୧୧ଟି ବଲ୍ର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ କରିଥିଲେ। ତାଙ୍କ ଇନିଂସ ଯୋଗୁ ଭାରତୀୟ ଦଳ ୨୪୨ ରନର ଟାର୍ଗେଟକୁ ବହୁତ ସହଜରେ ହାସଲ କରିଥିଲା। ତାଙ୍କର ଐତିହାସିକ ଇନିଂସ ପରେ ବିରାଟ କୋହଲି ତାଙ୍କର ଦୁର୍ବଳତା ବିଷୟରେ ମଧ୍ୟ କହିଥିଲେ, ଯାହା ତାଙ୍କୁ ଗତ କିଛି ବର୍ଷ ମଧ୍ୟରେ ବହୁତ କଷ୍ଟ ଦେଇଛି।
ବିରାଟ କୋହଲି ସ୍ବୀକାର କରିଛନ୍ତି, ତାଙ୍କର ଟ୍ରେଡମାର୍କ କଭର ଡ୍ରାଇଭ ତାଙ୍କୁ ଏକ କଷ୍ଟକର ସ୍ଥିତିରେ ପକାଇଛି। କାରଣ ଏହା ଗତକିଛି ଦିନ ହେବ ତାଙ୍କର ଦୁର୍ବଳତା ସାଜିଛି। ବିସିସିଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ବିରାଟ କହିଛନ୍ତି, ଏହା ଏକ କଷ୍ଟକର ପରିସ୍ଥିତି। ଗତ କିଛି ବର୍ଷ ମଧ୍ୟରେ ଏହି କଭର ଡ୍ରାଇଭ ମଧ୍ୟ ମୋର ଦୁର୍ବଳତା ହୋଇଛି କିନ୍ତୁ ମୁଁ ଏହି ସଟରେ ବହୁତ ରନ କରିଛି। ମୁଁ ଭାବୁଛି ଏହି ମ୍ୟାଚ କେବଳ ମୋର ସଟ ଉପରେ ଧ୍ୟାନ ଦେବା ବିଷୟରେ ଥିଲା ଏବଂ ମୁଁ ମାରିଥିବା ପ୍ରଥମ ଦୁଇଟି ବାଉଣ୍ଡାରୀ କଭର ଡ୍ରାଇଭ ଥିଲା। ତେଣୁ ମୋତେ ଏହାକୁ ଟିକେ ସାହସର ସହିତ ନେବାକୁ ପଡିଲା।
ବିରାଟ ଆହୁରି କହିଛନ୍ତି, କାରଣ ଯେତେବେଳେ ମୁଁ ଏପରି ସଟ ମାରିଥାଏ, ମୁଁ କ୍ରିଜରେ ନିଜକୁ ନିୟନ୍ତ୍ରଣ ଅନୁଭବ କରେ। ତେଣୁ ଏହା ବ୍ୟକ୍ତିଗତ ଭାବରେ ମୋ ପାଇଁ ଏକ ଭଲ ଇନିଂସ ଥିଲା ଏବଂ ଏହା ଏକ ମହାବିଜୟ ଥିଲା। ବ୍ୟକ୍ତିଗତ ଭାବରେ ଏକ ମହାନ ଦିନ ଥିଲା।
ବିରାଟ କୋହଲି କିଛି ସମୟ ଧରି ସ୍ପିନରମାନଙ୍କ ବିପକ୍ଷରେ ଦୁର୍ବଳ ଦେଖାଯାଉଛନ୍ତି। ସେ ଗତ ୫ ଥର ଦିନିକିଆରେ ଲେଗ ସ୍ପିନରଙ୍କ ବିପକ୍ଷରେ ଆଉଟ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ରେ ମଧ୍ୟ ତାଙ୍କୁ ସ୍ପିନରମାନଙ୍କ ବିପକ୍ଷରେରେ ବହୁତ ସତର୍କତାର ସହିତ ଖେଳିବା ଦେଖାଯାଇଥିଲା। ସେ ତାଙ୍କ ଇନିଂସରେ ମୋଟ ୭ଟି ଚୌକା ମାରିଥିଲେ, କିନ୍ତୁ ସ୍ପିନରମାନଙ୍କ ବିପକ୍ଷରେ ସେ କେବଳ ୧ଟି ଚୌକା ମାରିପାରିଥିଲେ, ଏହି ଚୌକାଟି ମଧ୍ୟ ମ୍ୟାଚ୍ର ଶେଷ ବଲ୍ରେ ଆସିଥିଲା।