Categories: Home Leftଖେଳ

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାରେ ରହିଛି କୋହଲିଙ୍କ ଅବଦାନ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର ଆନୁଷ୍ଠାନିକ ଭାବରେ ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ କରିବାକୁ ଘୋଷଣା କରିଛି। ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ଟି -୨୦ ଫର୍ମାଟରେ ଖେଳାଯିବ, ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଦଳ ଅଂଶଗ୍ରହଣ କରିବେ। କ୍ରିକେଟ ବ୍ୟତୀତ ଆଇଓସି ଅଧ୍ୟକ୍ଷ ଥୋମାସ ବାଚ ୨୦୨୮ ଅଲିମ୍ପିକ୍ସରେ ଫ୍ଲାଗ ଫୁଟବଲ, ବେସବଲ / ସଫ୍ଟବଲ, ସ୍କ୍ବାସ, ଲାକ୍ରୋସକୁ ସାମିଲ କରିବାକୁ ଘୋଷଣା କରିଛନ୍ତି।

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ପରେ ଭାରତର ତାରକା କ୍ରିକେଟର ବିରାଟ କୋହଲି ଚର୍ଚ୍ଚାରେ ଅଛନ୍ତି। ଏଲଏ ୨୮ର କ୍ରୀଡା ନିର୍ଦ୍ଦେଶକ ନିକୋଲ କ୍ୟାମ୍ପ୍ରିଆନି କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଅଲିମ୍ପିକ୍ସରେ କ୍ରିକେଟ ସାମିଲ କରିବାକୁ ଆଇଓସିରେ ଲବି କରୁଥିବାବେଳେ ଇଟାଲୀର ପୂର୍ବତନ ଅଲିମ୍ପିକ ବିଜେତା ସୁଟର ନିକୋଲ କ୍ୟାମ୍ପ୍ରିଆନି କୋହଲିଙ୍କ ଲୋକପ୍ରିୟତାକୁ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ଆଇଓସିର ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ ନୂଆ ଖେଳକୁ ସାମିଲ କରିବା ଉପରେ ଯେଉଁ ପୋଷ୍ଟ ଶେୟାର କରିଛନ୍ତି, ସେଥିରେ ବିରାଟଙ୍କ ଫଟୋ ରହିଛି।

କ୍ୟାମ୍ପ୍ରିଆନି କହିଛନ୍ତି , ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଖେଳକୁ ସ୍ବାଗତ କରି ଆମେ ଅତ୍ୟନ୍ତ ଆନନ୍ଦିତ, ଯାହାର ବିଶ୍ୱରେ ପ୍ରାୟ ୨୫୦ କୋଟି ପ୍ରଶଂସକ (୨.୫ ବିଲିୟନ) ଅଛନ୍ତି। ମୋର ବନ୍ଧୁ ବିରାଟ କୋହଲି ଦୁନିଆର ତୃତୀୟ ଲୋକପ୍ରିୟ ଖେଳାଳି। ସୋସିଆଲ ମିଡିଆରେ ତାଙ୍କର ୩୪ କୋଟି ଅନୁସରଣକାରୀ ଅଛନ୍ତି, ଯାହା ଲି ବ୍ରୋନ ଜେମ୍ସ, ଟମ ବ୍ରାଡି, ଟାଇଗର ଉଡ୍ସ ଭଳି ଖେଳାଳିଙ୍କ ମୋଟ ଅନୁସରଣକାରୀଙ୍କଠାରୁ ଅଧିକ।