ପର୍ଥ,୧୯ା୧: କ୍ରିକେଟ ଜଗତର ମହାନାୟକ ବିରାଟ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଫେରିଛନ୍ତି। ପର୍ଥରେ ଟସ୍ ପୂର୍ବରୁ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଡାମ ଗିଲକ୍ରିଷ୍ଟଙ୍କ ସହ ଏକ ସାକ୍ଷାତକାରରେ କୋହଲି ନିଜର ଟେଷ୍ଟ ଓ ଟି-୨୦ ଫର୍ମାଟରୁ ଅବସର, ଇଂଲଣ୍ଡରେ ପରିବାର ସହ ବିତାଇଥିବା ସମୟ ଓ ଭବିଷ୍ୟତ ଯୋଜନା ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।
ଗତ ଚାରି-ପାଞ୍ଚ ମାସ ବିଷୟରେ ପଚରାଯିବାରୁ କୋହଲି କହିଛନ୍ତି, ସେ ଏହି ସମୟ ଇଂଲଣ୍ଡରେ ପତ୍ନୀ ଅନୁଷ୍କା ଶର୍ମା ଓ ପିଲାଙ୍କ ସହ ବିତାଇଛନ୍ତି। ଆଇପିଏଲ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖେଳିବା ପରେ ସେ ସିଧାସଳଖ ଇଂଲଣ୍ଡ ଯାଇଥିଲେ ଏବଂ ଅଷ୍ଟ୍ରେଲିଆ ଯାତ୍ରା ପୂର୍ବରୁ ଭାରତ ଫେରିଥିଲେ। ସେ କହିଛନ୍ତି, “ବହୁ ବର୍ଷ ପରେ ପରିବାର ଓ ପିଲାଙ୍କ ସହ କ୍ୱାଲିଟି ସମୟ ବିତାଇବାର ସୁଯୋଗ ପାଇଛି। ଏହା ଏକ ସୁନ୍ଦର ଅନୁଭୂତି ଥିଲା। ମୁଁ ଏବେ ସତେଜ ଅନୁଭବ କରୁଛି, ନେଟ୍ରେ ଭଲ ବ୍ୟାଟିଂ ଓ ଫିଲ୍ଡିଂ କରୁଛି।”
ଗତ ୧୫ ବର୍ଷରେ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା କୋହଲି ଟେଷ୍ଟ ଓ ଟି-୨୦ରୁ ଅବସର ନେବା ନିଷ୍ପତ୍ତିକୁ ନ୍ୟାୟସଙ୍ଗତ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ସଫଳତା ବିଷୟରେ ସେ କହିଛନ୍ତି, “ପିଲାଦିନେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହୱାଗଙ୍କୁ ଅଷ୍ଟ୍ରେଲିଆର କଠିନ ପରିସ୍ଥିତିରେ ଖେଳୁଥିବା ଦେଖି ମୋତେ ମଧ୍ୟ ଏହି ଦେଶରେ ଭଲ ପ୍ରଦର୍ଶନ କରିବାର ପ୍ରେରଣା ମିଳିଥିଲା।”