ମ୍ୟାଚ୍‌ ପରେ CSK ବୋଲରଙ୍କ ଉପରେ ରାଗିଗଲେ ବିରାଟ କୋହଲି? ଭାଇରାଲ Videoକୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୩: ଆଇପିଏଲ୍‌ ୨୦୨୫ରେ ଲଗାତାର ୨ ମ୍ୟାଚ୍‌ରେ ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ସିଏସ୍‌କେ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଦଳ ୫୦ ରନ୍‌ରେ ବାଜି ମାରିନେଇଥିଲା। ହେଲେ ମ୍ୟାଚ୍‌ରେ ବିରାଟ କୋହଲି ଆଶା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ମ୍ୟାଚ୍‌ ପରର ହୋଇଥିବା ବେଳେ ବିରାଟ ସିଏସ୍‌କେ ଖେଳାଳିଙ୍କ ଉପରେ ରାଗୁଥିବା ନଜର ଆସୁଛି।

ଭାଇରାଲ ଭିଡିଓରେ କୋହଲି ରବିନ୍ଦ୍ର ଜାଡେଜାଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ହସମଜା ଚାଲୁଥିବା ବେଳେ ସେଠାକୁ ଚେନ୍ନାଇର ଦ୍ରୁତ ବୋଲର ଖଲୀଲ ଅହମ୍ମଦ ଆସୁଛନ୍ତି। ଏହାପରେ କୋହଲି ରାଗିଯାଇ ତାଙ୍କୁ କିଛି କହୁଛନ୍ତି। ଅପରପକ୍ଷେ ଖଲୀଲ ଚୁପ୍‌ଚାପ୍‌ ତାଙ୍କୁ ଶୁଣୁଛନ୍ତି।

 

କହିବାକୁ ଗଲେ, ମ୍ୟାଚ୍‌ ସମୟରେ ଖଲୀଲଙ୍କ ବୋଲିଂ ସମୟରେ କୋହଲିଙ୍କୁ ଅସୁବିଧା ହେଉଥିବା ନଜର ଆସିଥିଲା। ପ୍ରଥମ ବଲ୍‌ରେ ଉଇକେଟ ହରାଇବାରୁ ଅଳ୍ପକେ ସେ ବର୍ତ୍ତିଥିଲେ। ଉକ୍ତ ଓଭରର ତୃତୀୟ ବଲ୍‌ ବାଉନ୍ସର ଥିଲା। ପରେ ଖଲୀଲ ଫଲୋ ଥ୍ରୁ ସମୟରେ କୋହଲିଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଉଭୟ କିଛି ସମୟ ପରସ୍ପରକୁ ରାଗରେ ଚାହିଁଥିଲେ। ଏଣୁ ଏହି ଘଟଣାକୁ ନେଇ କୋହଲି ଖଲୀଲଙ୍କୁ କିଛି କହୁଥାଇପାରନ୍ତି ବୋଲି ପ୍ରଶଂସକ ଅନୁମାନ କରୁଛନ୍ତି।

କୋହଲିଙ୍କ ପାଇଁ ମ୍ୟାଚ୍‌ଟି ଭଲ ନ ଥିଲା। ସେ ୩୦ ବଲ୍‌ ଖେଳି ୩୧ ରନ୍‌ କରିଥିଲେ। ହେଲେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ସେ ଜବରଦସ୍ତ ଇନିଂସ ଖେଳିଥିଲେ। କେକେଆର୍‌ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ମାରି ଦଳକୁ ଜିତାଇଥିଲେ।