ନୂଆଦିଲ୍ଲୀ,୩୦।୫: ପଞ୍ଜାବ କିଙ୍ଗସ (ପିବିକେଏସ) ତାରକା ବ୍ୟାଟର ମୁଶୀର ଖାନଙ୍କୁ ଅପମାନ କରିବା ଅଭିଯୋଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇକନ ବିରାଟ କୋହଲି ବିବାଦରେ ଫସିଛନ୍ତି। କ୍ୱାଲିଫାୟର ୧ ମ୍ୟାଚରେ ମୁଶୀରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଡେବ୍ୟୁ ସମୟରେ କୋହଲିଙ୍କର ଏକ ଅଭିନୟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ମ୍ୟାଚ ସମୟରେ “ପ୍ରଥମ ସ୍ଲିପରେ ବିରାଟ କୋହଲି ମୁଶୀରଙ୍କୁ କହୁଛନ୍ତି ‘ଏ କିଏ? ପାଣି ପିଆଏ'” ଇଙ୍ଗିତ କରୁଥିବା ଦେଖାଯାଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ମୁଶୀରଙ୍କୁ ଅପମାନଜନକ ବୋଲି ଅଭିଯୋଗ ହୋଇଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛି।
ଏହି ଘଟଣା ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଠି କିଛି ପ୍ରଶଂସକ ଏହାକୁ କୋହଲିଙ୍କ ଖେଳ ମନୋବୃତ୍ତିର ଅଂଶ ବୋଲି କହିଥିବା ବେଳେ ଅନ୍ୟମାନେ ଏହାକୁ ଅନୁଚିତ ବୋଲି ସମାଲୋଚନା କରିଛନ୍ତି।
ଗୁରୁବାର କ୍ୱାଲିଫାୟର ୧ରେ ଆରସିବି ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲରେ ପ୍ରବେଶ କରିଛି। ଆରସିବିର ବୋଲରମାନେ ଅଧିନାୟକ ରଜତ ପାଟିଦାରଙ୍କ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତିକୁ ସଠିକ ପ୍ରମାଣ କରି ପିବିକେଏସକୁ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ କରିଥିଲେ। ମାର୍କସ ଷ୍ଟୋଇନିସ ୨୬ ରନ ସହ ସର୍ବାଧିକ ସ୍କୋରର ଥିଲେ।
ଯୁବ ଲେଗ-ସ୍ପିନର ସୁୟାଶ ଶର୍ମା (୩/୧୭) ତିନି ଉଇକେଟ ନେଇ ଆରସିବି ପାଇଁ ତାରକା ପ୍ରଦର୍ଶନ କରିଥିଲେ। ପେସର ଜୋଶ ହେଜଲଉଡ (୩/୨୧), ୟଶ ଦୟାଲ (୨/୨୬) ଏବଂ ଭୁବନେଶ୍ୱର କୁମାର (୧/୧୭) ପିବିକେଏସକୁ ସପ୍ତମ ଓଭରରେ ୫୦/୫ରେ ପହଞ୍ଚାଇ ଦେଇଥିଲେ।
ଜବାବରେ, ଆରସିବି ୧୦ ଓଭରରେ ୧୦୬/୨ ସ୍କୋର କରି ବିଜୟୀ ହୋଇଥିଲା, ଯେଉଁଥିରେ ଫିଲିପ ସଲ୍ଟ ୨୭ ବଲରେ ୫୬ ରନ କରିଥିଲେ।