ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩ ଇନିଂସରେ ବିଫଳ ରହିଥିଲେ। କେବଳ ଏତିକି ନୁହେଁ ସମାନ ଢ଼ଙ୍ଗରେ ଆଉଟ୍‌ ହୋଇଥିଲେ। ଅଫ୍‌ ଷ୍ଟମ୍ପ ବାହାରେ ବଲ୍‌କୁ ଖେଳିବାକୁ ଯାଇ ତାଙ୍କ ଉଇକେଟ ଯାଇଥିଲା। କୋହଲି ନିଜର ଏହି ଭୂଲକୁ ମାନିଛନ୍ତି। ମେଲବର୍ନ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହେବା ପରେ କୋହଲି ଷ୍ଟାର ସ୍ପୋଟ୍ସକୁ କହିଛନ୍ତି ଯେ ଗତ ୨-୩ ଇନିଂସରେ ସେ ବ୍ୟାଟିଂ ମାମଲାରେ ଅନୁଶାସନହୀନ ରହିଛନ୍ତି।

କୋହଲି ଷ୍ଟାର ସ୍ପୋଟ୍ସକୁ କହିଛନ୍ତି, ମୁଁ ମାନୁଛି, ଗତ ୨-୩ ଇନିଂସ ସେଭଳି ଯାଇନାହିଁ, ଯେଉଁଭଳି ମୁଁ ଚାହୁଁଥିଲି। ମୁଁ ପିଚ୍‌ରେ ରହିବା ଲାଗି ଅନୁଶାସନ ଦେଖାଇ ନାହିଁ। ଏହାହିଁ ଟେଷ୍ଟ କ୍ରିକେଟର ଅସଲ ଚ୍ୟାଲେଞ୍ଜ। ଗତ ଗସ୍ତ ମୁକାବିଲାରେ ଏଥର ଅଷ୍ଟ୍ରେଲିଆର ପିଚ୍‌ ଅଧିକ ଦ୍ରୁତ ଏବଂ ବାଉନ୍ସ କରୁଛି। ଏଣୁ ଏଠାରେ ଭିନ୍ନ ଖେଳର ଆବଶ୍ୟକତା ରହିଛି। ହେଲେ ଭିନ୍ନ ଭିନ୍ନ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବା ହିଁ ଅସଲ ଖେଳ ବୋଲି ସେ କହିଛନ୍ତି।

କୋହଲି ଏବେ ମେଲବର୍ନ ଟେଷ୍ଟ ଏବଂ ସିଡନୀ ଟେଷ୍ଟ ଲାଗି ନିଜର ରଣନୀତି କହିଛନ୍ତି। ଏବେ କ୍ରିଜ୍‌ରେ ନିଜ ଦୃଷ୍ଟିଭଙ୍ଗି ସ୍ଥିର କରିବି। ଅଧିକରୁ ଅଧିକ ବଲ୍‌ର ସାମ୍ନା କରିବି। ଏହାପରେ ନିଜ ଖେଳକୁ ଆଗକୁ ବଢ଼ାଇବି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପରିସ୍ଥିତିକୁ ସମ୍ମାନ ଜଣାଇବା ବୋଲି ସେ କହିଛନ୍ତି।