ରାୟପୁର,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟର ବିରାଟ କୋହଲି କେବଳ ଲଗାତାର ଦ୍ୱିତୀୟ ଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କର ପୁରୁଣା ଆକ୍ରମକ ଶୈଳୀର ପ୍ରତ୍ୟାବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ତାଙ୍କର କ୍ରିକେଟର ଏହି ଫର୍ମକୁ ଫେରିବା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି।
ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ୧୩୫ ରନ୍ କରିବା ପରେ ବୁଧବାର ସେ ୯୩ ବଲ୍ରେ ୧୦୨ ରନ୍ କରି ତାଙ୍କର ୮୪ତମ ଅନ୍ତର୍ଜାତୀୟ ଶତକ ପୂରଣ କରିଛନ୍ତି। ସେ ଓ ଋତୁରାଜ ଗାଏକୱାଡ୍ (୧୦୫ ରନ୍) ତୃତୀୟ ୱିକେଟ୍ ପାଇଁ ୧୯୫ ରନର ବିଶାଳ ଭାଗିଦାରୀ କରିଥିଲେ।
ଫିଲ୍ଡିଂ ସମୟରେ କୋହଲି ପୂର୍ବପରି ଉତ୍ସାହ ଓ ଆକ୍ରମକତା ଦେଖାଇଥିଲେ। ଅର୍ଶଦୀପ ସିଂଙ୍କ ବଲରେ କ୍ୱିଣ୍ଟନ୍ ଡି କକ୍ ଆଉଟ୍ ହେବା ପରେ କୋହଲିଙ୍କୁ ପିଚ୍ ନିକଟରେ ‘ନାଗିନ୍ ଡ୍ୟାନ୍ସ’ ଭଙ୍ଗୀରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କୋହଲିଙ୍କ ଏହି ବ୍ୟାଟିଂ ଫର୍ମ ଓ ଉତ୍ସାହ ଦେଖି କ୍ରିକେଟ୍ ପ୍ରଶଂସକମାନେ ଉଲ୍ଲସିତ ହୋଇଛନ୍ତି ଏବଂ ଏହାକୁ ‘ପୁରୁଣା VK ୧୮’ର ପ୍ରତ୍ୟାବର୍ତ୍ତନ ବୋଲି କହୁଛନ୍ତି। ବର୍ତ୍ତମାନ କୋହଲି ସଚିନ ତେନ୍ଦୁଲକରଙ୍କ ୧୦୦ଟି ଅନ୍ତର୍ଜାତୀୟ ଶତକର ରେକର୍ଡକୁ ପିଛା କରିବାରେ ଲାଗିଛନ୍ତି।