ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି ମାଡ଼ରେ ଜଣେ ଆହତ ହୋଇଥିବା ବେଳେ ପ୍ରତି ଆକ୍ରମଣରେ ଅଭିଯୁକ୍ତ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଆହତମାନେ ହେଲେ ଗୋବର୍ଦ୍ଧନ ପାଣ୍ଡେ(୩୮) ଏବଂ ଗୋଡଭଗା ନିବାସୀ ପିକୁଲ ଦାଶ(୩୫)। ଏନେଇ ଅତାବିରା ଥାନା ପୋଲିସ ଏକ ମାମଲା(ନଂ.୧୩୨/୨୨୦୨୬) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ଗୋଡଭଗା କ୍ୟାମ୍ପରୁ ଗୋଡଭଗା ଗ୍ରାମକୁ ସଂଯୋଗ କରୁଥିବା ପୁରୁଣା ରାସ୍ତା ପାର୍ଶ୍ୱ ଏକ କୁକୁଡା ଦୋକାନରେ ଭୁଜାଲି ମାଡ଼ ହୋଇଛି। ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭୀମସାର୍ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଚିକିତ୍ସା ପରେ ଜଣେ ଗୁରୁବାର ଘରକୁ ଫେରିଥିବା ସୂଚନା ମିଳିଛି। ଏ ନେଇ ଗୋବର୍ଦ୍ଧନ ଏତଲା ଦେଇଥିବା ବେଳେ ପ୍ରତିପକ୍ଷରୁ ଏପର୍ଯ୍ୟନ୍ତ ଏତଲା ହୋଇ ନ ଥିବା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି।
ଖବର ନେବାରେ ଜଣାପଡିଛି ଯେ ପ୍ରତିପକ୍ଷ ପିକୁଲ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନସ୍ତାରିତ ହୋଇଛନ୍ତି। ଅନ୍ୟପକ୍ଷେ ଘଟଣାଟି ଗୋଡଭଗା ଫାଣ୍ଡିଠାରୁ ଅନତିଦୂରରେ ହୋଇଛି। ଏପରିକି ଘଟଣାସ୍ଥଳରେ ଅବାଧ ନିଶା କାରବାର ଚାଲୁଥିଲେ ସୁଦ୍ଧା ସେଥିପ୍ରତି ପୋଲିସ ଆଖିବୁଜି ଦେଇଥିବା ଯୋଗୁ ଦିନ ଦ୍ବିପ୍ରହରରେ ଏଭଳି ଅପରାଧ ଘଟୁଥିବା ସାଧାରଣରେ ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନାହିଁ। ଗତ କିଛିଦିନ ତଳେ ଜିଲାର ସଦର ମହକୁମାର ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା। ବର୍ତ୍ତମାନ ଜିଲାର ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଥିବା ପରିଲକ୍ଷିତ ହୋଇଛି। ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେଇ ନିଶା କାରବାର ଦମନ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।