ମୁର୍ଶିଦାବାଦ, ୧୬।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଓ୍ବକଫ (ସଂଶୋଧନ) ଆଇନ, ୨୦୨୫କୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି। ଏହି ଘଟଣାରେ ଅତିକମରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ନମାଜ ପରେ ବିକ୍ଷୋଭ ଆରମ୍ଭ ହୋଇଥିଲା, ଯାହା ଧୁଲିୟାନ, ସମଶେରଗଞ୍ଜ, ସୁତି ଓ ଜଙ୍ଗୀପୁର ଅଞ୍ଚଳରେ ହିଂସାତ୍ମକ ରୂପ ନେଇଥିଲା।
ପୋଲିସ ରିପୋର୍ଟ ଅନୁସାରେ, ବିକ୍ଷୋଭକାରୀମାନେ ଗାଡି ଜାଳିଦେଇଥିବା ଏବଂ ପଥର ଫିଙ୍ଗିଥିବା ଅଭିଯୋଗ ରହିଛି। ଏହି ହିଂସାରେ ଅନେକ ଦୋକାନ ଓ ଘର ନଷ୍ଟ ହୋଇଛି। କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ବିଏସଏଫର ଅତିରିକ୍ତ କମ୍ପାନୀ ମୁତୟନ କରାଯାଇଛି।
ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ହିଂସା ଯୋଗୁଁ ଧୁଲିୟାନରୁ ୪୦୦ରୁ ଅଧିକ ହିନ୍ଦୁ ପରିବାର ଭାଗି ମାଲଦାରେ ଆଶ୍ରୟ ନେଇଛନ୍ତି। ସେ ତୃଣମୂଲଳ କଂଗ୍ରେସ (ଟିଏମସି) ସରକାରଙ୍କୁ ତୁଷ୍ଟିକରଣ ରାଜନୀତି ପାଇଁ ଅଭିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ, ଟିଏମସି ନେତା କୁନାଲ ଘୋଷ ଏହାକୁ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରି ଭାଜପାକୁ ମିଛ ଭିଡିଓ ଓ ଫଟୋ ପ୍ରଚାର କରି ହିଂସା ଭିଆଇଥିବା କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ରକ୍ଷା ପାଇଁ ଆହ୍ବାନ ଦେଇ କହିଛନ୍ତି, ଏହି ଆଇନ କେନ୍ଦ୍ର ସରକାର ଆଣିଛନ୍ତି, ରାଜ୍ୟ ସରକାର ନୁହେଁ। ଆମେ ଏହାକୁ ରାଜ୍ୟରେ ଲାଗୁ କରିବୁ ନାହିଁ। ସେ ସମସ୍ତଙ୍କୁ ଧର୍ମ ନାମରେ ହିଂସା ନ କରିବାକୁ ଅନୁରୋଧ କରିଛନ୍ତି।
ଓ୍ବକଫ ସଂଶୋଧନ ଆଇନ ଓାକଫ ସମ୍ପତ୍ତି ପରିଚାଳନାରେ ସ୍ପଷ୍ଟତା ଓ ଜବାବଦେହିତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି ବୋଲି ଭାଜପା ଦାବି କରୁଛି। କିନ୍ତୁ ବିରୋଧୀ ଦଳ ଏହାକୁ ଧାର୍ମିକ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରୁଛନ୍ତି। ପୋଲିସ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଛି ଏବଂ ମିଛ ଖବର ରୋକିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନଜର ରଖିଛି ଏବଂ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଜଣାଇଛି। ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି, ଏବଂ କୋଲକତା ହାଇକୋର୍ଟ ଏପ୍ରିଲ ୧୭ରେ ଏହାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୂଚନା ମିଳିଛି।