ବାଂଲାଦେଶରେ ହିଂସା

ବାଂଲାଦେଶ ଭାରତର କେବଳ ଏକ ପଡ଼ୋଶୀ ଦେଶ ନୁହେଁ , ଏହା ପରସ୍ପରର ଭାଷା, ଇତିହାସ, ସଂସ୍କୃତି ଓ ସେ ଦେଶର ମୁକ୍ତି ସଂଗ୍ରାମରେ ଗଠିତ ଏକ ନିବିଡ଼ ସମ୍ପର୍କ। ଯଦିଓ ୧୯୭୧ ମସିହାରେ ସ୍ବାଧୀନ ବାଂଲାଦେଶ ଧର୍ମ ନିରପେକ୍ଷତା ଓ ସମତାର ପ୍ରତିଶ୍ରୁତି ସହ ଆମ ଦେଶର ପ୍ରତ୍ୟକ୍ଷ ସହାୟତାରେ ଜନ୍ମଲାଭ କରିଥିଲା, ପରବର୍ତ୍ତୀ ସମୟରେ ସେଠାରେ ଥିବା ହିନ୍ଦୁ ପ୍ରାୟତଃ ସେ ଦେଶର କଳୁଷିତ ରାଜନୀତିର ଶିକାର ହେଲେ। ସାମରିକ ଶାସନ କାଳରେ ଧର୍ମ ନିରପେକ୍ଷତା ପରିବର୍ତ୍ତେ ଇସ୍‌ଲାମ ଧର୍ମକୁ ରାଷ୍ଟ୍ର ଧର୍ମ ରୂପେ ଘୋଷଣା କରାଗଲା ଏବଂ ଆଭ୍ୟନ୍ତରୀଣ ରାଜନୀତିର ପରିଣାମ ସ୍ବରୂପ ଧର୍ମୀୟ ଚରମପନ୍ଥାର ପୁନଃ ପ୍ରବେଶ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କର ସୁରକ୍ଷା ଉପରେ ସବୁଦିନ ପାଇଁ ପ୍ରଶ୍ନବାଚୀ ହୋଇ ରହିଲା।
ଉଲ୍ଲେଖଯୋଗ୍ୟ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ପଦଚ୍ୟୁତି ଏବଂ ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ରାଜନୈତିକ ଆଶ୍ରୟ ଦିଆଯିବା ଫଳରେ ସେ ଦେଶର ଚରମପନ୍ଥୀ ଗୋଷ୍ଠୀ ଅଳ୍ପ ସଂଖ୍ୟକଙ୍କ ଉପରେ ଅତ୍ୟାଚାର କରିବାର ସୁଯୋଗ ପାଇଲେ। ଏଥିରେ ଶାସକ ଦଳ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ରହିଲେ। ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବର୍ତ୍ତମାନ ସେଠାର ଆଭ୍ୟନ୍ତରୀଣ ରାଜନୈତିକ ଚିତ୍ରପଟ୍ଟ ଅତ୍ୟନ୍ତ ଉଦ୍‌ବେଗଜନକ ଅବସ୍ଥାରେ ରହିଛି। ତେଣୁ ବିଦେଶୀ ଶକ୍ତିମାନେ ନିଜ ସ୍ବାର୍ଥସାଧନ ପାଇଁ ସେଠାର ଅପାରଗ ସରକାରଙ୍କୁ ନିଜ ଅକ୍ତିଆରରେ ରଖିବା ପୂର୍ବକ ହିନ୍ଦୁ ବିରୋଧୀ ଗୋଷ୍ଠୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେଉଛନ୍ତି। ଏହା ଭାରତ ପ୍ରତି ଏକ ଆହ୍ବାନ। ଏହାଠାରୁ ଅଧିକ ଭୟାବହ ହେଉଛି , ସେ ଦେଶର ଦଣ୍ଡହୀନତାର ସଂସ୍କୃତି। ଦୁର୍ବଳ ଆଇନ ପ୍ରଣୟନ ଓ ବିଳମ୍ବିତ ନ୍ୟାୟ ପ୍ରଦାନ ସାମ୍ପ୍ରଦାୟିକ ହିଂସାକାଣ୍ଡ ପ୍ରତି ପରୋକ୍ଷ ସମର୍ଥନ। ବର୍ତ୍ତମାନ ବାଂଲାଦେଶର ନ୍ୟାଶନାଲ ପାର୍ଟିର କାର୍ଯ୍ୟକାରୀ ସଭାପତି ତାରିକ୍‌ ରହମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ସେ ଦେଶର ଏକ ସ୍ବଚ୍ଛ, ଅବାଧ ନିର୍ବାଚନକୁ ଭାରତ ସମର୍ଥନକରିବା ଘୋଷଣା କରିଛି।
ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣାକୁ ନେଇ କେତେକ ସଂଗଠନ ଏ ବିଷୟରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭାରତବର୍ଷର ବିଭିନ୍ନ ସ୍ଥାନରେ ବାସକରୁଥିବା ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ଚିହ୍ନଟକରି ସେମାନଙ୍କୁ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବାକୁ ଦାବି ହେଉଛି।ଏହାର ପ୍ରତିକ୍ରିୟାରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧିର ଜୟସାଲଙ୍କ ନିନ୍ଦା ପ୍ରସ୍ତାବ ସହ ଭାରତ ସରକାରଙ୍କ ଦ୍ୱାରା ବାଂଲାଦେଶର ପ୍ରତିନିଧିଙ୍କୁ ଡାକି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ପ୍ରତି ତୁରନ୍ତ ଅତ୍ୟାଚାର ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଆମେରିକା ସମେତ ଜାତିସଂଘର ଉଦ୍‌ବେଗ ଜଣାଇ ଦେଉଛି ଯେ ବର୍ତ୍ତମାନ ବାଂଲାଦେଶର ସମସ୍ୟା ଆଉ କେବଳ ସେହି ଦେଶର ଆଭ୍ୟନ୍ତରୀଣ ସମସ୍ୟା ହୋଇ ରହିନାହିଁ। ଏଥିପାଇଁ ଦୋଷୀମାନଙ୍କୁ ଚିହ୍ନଟକରି ସେ ଦେଶର ଆଇନ ଅନୁଯାୟୀ ତୁରନ୍ତ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ଆବଶ୍ୟକ।
ଏହି ପରିପ୍ରେକ୍ଷୀରେ ଭାରତ ଯଦି ବାଂଲାଦେଶ ପ୍ରତି କଠୋର ଦଣ୍ଡାତ୍ମକ ପଦକ୍ଷେପ ସ୍ବରୂପ ବ୍ୟାପାରିକ ପ୍ରତିବନ୍ଧ ଲାଗୁକରେ ଏବଂ କୂଟନୈତିକ ସ୍ତରରେ ବିଶ୍ୱ ଦରବାରରେ ନିନ୍ଦିତକରେ ତେବେ ଜାତୀୟବାଦୀ ଇସ୍‌ଲାମିକ ଶକ୍ତିମାନଙ୍କ ପାଇଁ ଏହା ଅଧିକ ଲାଭପ୍ରଦ ହୋଇପାରେ। ପାକିସ୍ତାନ ଓ ତଥାକଥିତ ଇସ୍‌ଲାମିକ ନାଟୋ ଦେଶଗୁଡିକ ମଧ୍ୟରେ ହିନ୍ଦୁ ବିରୋଧୀ ହିଂସା ଅଧିକ ହେବା ସମ୍ଭାବନାକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ। ଏହା ବ୍ୟତୀତ ଭାରତକୁ ସେ ଦେଶର ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ ପ୍ରକ୍ରିୟା ପ୍ରତି ମଧ୍ୟ ସମ୍ମାନ ରହିବା ଆବଶ୍ୟକ। ଆଜି ପର୍ଯ୍ୟନ୍ତ ଏହା ଭାରତୀୟ ବୈଦେଶିକ ନୀତିର ମୂଳମନ୍ତ୍ର ହୋଇ ରହି ଆସିଛି।
ପରିଶେଷରେ ଏତିକି କୁହାଯାଇପାରେ, ବାଂଲାଦେଶର ବିକାଶ ପ୍ରକଳ୍ପ ପାଇଁ ଭାରତର ଆର୍ଥିକ ସହଯୋଗ ସହ ଊର୍ଜା ସଂଯୋଗ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆବଶ୍ୟକ ପଡ଼ିଲେ ଉଚିତ ଶିକ୍ଷା ଦେବା ପାଇଁ ପ୍ରାଥମିକ ଭାବରେ ସେ ଦେଶ ସହ ସମସ୍ତ ପ୍ରକାର ବ୍ୟାପାରିକ ସମ୍ପର୍କ ବନ୍ଦକରି ବାଂଲାଦେଶୀ ଅନୁପ୍ରବେଶକାରୀ ତଥା ଚୋରା ଚାଲାଣକାରୀମାନଙ୍କୁ କଠୋର ହସ୍ତରେ ଦମନକରିବା ଉଚିତ। ପଡ଼ୋଶୀ ଦେଶ ଭାବରେ ଆଉ ଅଧିକ ସହାନୁଭୂତିଶୀଳ ହୋଇ ନୀରବ ରହିଲେ ବିଶ୍ୱ ଦରବାରରେ ଭାରତ ନିନ୍ଦିତହେବା ସହ ନିଜ ଦେଶ ଭିତରେ ଭାଜପା ସରକାରଙ୍କ ଲୋକପ୍ରିୟତା ଯେ ହ୍ରାସପାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ପ୍ରମୋଦ କୁମାର ମିଶ୍ର
ସମ୍ବଲପୁର
ମୋ: ୯୪୩୭୪୨୦୫୪୬

Dharitri – Odisha’s No.1 Odia Daily