ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍ ଜି ଆନ୍ଦୋଳନ ଜୋର୍ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ, ଦୁର୍ନୀତି ଏବଂ ଦଣ୍ଡମୁକ୍ତି ବିରୋଧରେ ମେକ୍ସିକୋ ସିଟିରେ ଜେନ୍ ଜି ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଏହାକୁ ବିରୋଧୀ ଦଳଗୁଡ଼ିକର ପୁରୁଣା ସମର୍ଥକମାନେ ଦୃଢ଼ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ ଶେଷ ମୁହୂର୍ତ୍ତରେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ହୋଇଥିଲା। ବିକ୍ଷୋଭକାରୀ ଢେଲା, ଲାଠି, ଚେନ୍ରେ ପୋଲିସକୁ ଆକ୍ରମଣ କରିବା ସହ ପୋଲିସ ଢାଲ ଓ ଅନ୍ୟାନ୍ୟ ଉପକରଣ ଛଡ଼ାଇ ନେଇଥିଲେ। ଏହି ସଂଘର୍ଷରେ ୧୦୦ ପୋଲିସ ଅଫିସରଙ୍କ ସମେତ ୧୨୦ ଜଣ ଆହତ ହୋଇଥିବା ରାଜଧାନୀର ସୁରକ୍ଷା ସମ୍ପାଦକ ପାବ୍ଲା ଭାଜ୍ଭୁଏଜ୍ କହିଛନ୍ତି। ୨୦ ଜଣଙ୍କୁ ଗିରଫ କରାଯାଇଛି।
ବିଭିନ୍ନ ଦେଶରେ ୯୦ ଦଶକ ଶେଷଭାଗ ଏବଂ ୨୦୧୦ ଦଶକ ପ୍ରଥମ ଭାଗ ମଧ୍ୟରେ ଜନ୍ମିତ ଯୁବଗୋଷ୍ଠୀ ଅସମାନତା, ଗଣତାନ୍ତ୍ରିକ ପତନ ଏବଂ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଛନ୍ତି। ଗତ ସେପ୍ଟେମ୍ବରରେ ନେପାଳରେ ବହୁସଂଖ୍ୟାରେ ଜେନ୍ ଜି ବିକ୍ଷୋଭରେ ସାମିଲ ହେବାରୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଦୁର୍ନୀତି ଏବଂ ହିଂସ୍ର ଅପରାଧ ଘଟଣାରେ ଦଣ୍ଡ ମୁକ୍ତି ଭଳି ବ୍ୟବସ୍ଥାଗତ ସମସ୍ୟାକୁ ନେଇ ବହୁସଂଖ୍ୟାରେ ଯୁବବର୍ଗ ନିରାଶ ହୋଇପଡ଼ିଥିବା କହିଛନ୍ତି। ଆମେ ଅଧିକ ସୁରକ୍ଷା ଚାହୁଁ ବୋଲି ୨୯ ବର୍ଷୀୟ ବିଜ୍ନେସ୍ କନ୍ସଲ୍ଟାଣ୍ଟ ଆଣ୍ଡେସ୍ ମାସା କହିଛନ୍ତି। ଜେନ୍ ଜି ବିକ୍ଷୋଭର ବୈଶ୍ୱିକ ପ୍ରତୀକ ଖପୁରି ଥିବା ପତାକା ସେ ଧରିଥିବା ଦେଖାଯାଇଥିଲା। ମିଚୋଆକାନ୍ର ଲୋକପ୍ରିୟ ମେୟରଙ୍କ ସମେତ ନିକଟରେ ଦେଶରେ ବହୁ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଥିବା ସତ୍ତ୍ୱେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡ଼ିଆ ଶେଇନବମ୍ଙ୍କ ପ୍ରତି ଉଚ୍ଚ ଅନୁମୋଦନ ହାର ରହିଛି। ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଜେନ୍ ଜି ଆନ୍ଦୋଳନରେ ଜବରଦସ୍ତ ସାମିଲ ହୋଇଥିବା ଶେଇନବମ୍ କହିଛନ୍ତି।
Dharitri – The Largest & Most Trusted Odia Daily