ଟିକାକରଣକୁ ନେଇ ଏସ୍‌ସିବିରେ ଉତ୍ତେଜନା

କଟକ ଅଫିସ, ୨୭ା୬: ଏସ୍‌ସିବି ମେଡିକାଲ ଟିକାକେନ୍ଦ୍ରରେ ଶନିବାର ସକାଳେ ଟିକାକରଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏସ୍‌ସିବି ମେଡିକାଲ ପକ୍ଷରୁ ଅନ୍‌ଲାଇନରେ ବୁକିଂ କରିଥିବା ବ୍ୟକ୍ତିଙ୍କ ସମେତ ସିଧାସଳଖ ଆସିଥିବା ଲୋକଙ୍କୁ ପଞ୍ଜୀକରଣ କରାଯାଇ ଟିକା ଦିଆଯାଇଥିଲା। ତେବେ ଟିକା ନେବା ପାଇଁ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଭିଡ ଜମିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଭିଡ ନିୟନ୍ତ୍ରଣ କରିଥିଲା।

ଏସ୍‌ସିବି ମେଡିକାଲରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ପ୍ରଥମ ଡୋଜ୍‌ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିଲା। ସେହିପରି ଅନ୍‌ଲାଇନ୍‌ରେ ବୁକିଂ କରିଥିବା ଲୋକଙ୍କ ସମେତ ସିଧାସଳଖ ଆସିଥିବା ଲୋକେ ଟିକା ନେବା ପାଇଁ ଭିଡ ଜମାଇଥିଲେ। ଏପରି କି ସେମାନେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଭୁଲି ଯାଇଥିଲେ। ତେବେ ଏସ୍‌ସିବି କର୍ତ୍ତୃପକ୍ଷ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଅପରାହ୍ନ ୩ଟା ପରେ ଟିକା ଦିଆଯିବା ପାଇଁ କହିବା ପରେ ଭିଡ କମିଥିଲା। ଏନେଇ ଏସ୍‌ସିବି ମେଡିକାଲ ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ଟିକାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଛି। କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ଏକମାତ୍ର ବିକଳ୍ପ ବୋଲି ଲୋକେ ବୁଝିଲେଣି। ଶନିବାର ଏସ୍‌ସିବିରେ ଅନ୍‌ଲାଇନ୍‌ ପଞ୍ଜୀକରଣ ସହିତ ସିଧାସଳଖ ଆସିଥିବା ଲୋକଙ୍କୁ ଅଫ୍‌ଲାଇନ୍‌ରେ ଏକକାଳୀନ ଟିକା ଦିଆଯାଉଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କଟକ ମହାନଗର ନିଗମ(ସିଏମ୍‌ସି) ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପରେଶ କୁମାର ନାୟକ କହିଛନ୍ତି, ଏସ୍‌ସିବି ମେଡିକାଲ, ସିଡ଼ିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାଉଳିଆଗଞ୍ଜ, ବିଡାନାସୀ ଟିକାକେନ୍ଦ୍ର ସମେତ ମୋଟ୍‌ ୧୬ଟି ଟିକାକେନ୍ଦ୍ରରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌କୁ ମିଶାଇ ୫୫୦୦ ଲୋକଙ୍କୁ ଟିକା ଦିଆଯାଇଛି। ସେଥିମଧ୍ୟରୁ କେବଳ ଏସ୍‌ସିବିରେ ୧୪ ଶହ ଓ ବିଡାନାସୀ ଟିକା କେନ୍ଦ୍ରରେ ୪୭୦ ଜଣ ବସ୍ତିବାସିନ୍ଦାଙ୍କୁ ଟିକା ପ୍ରଦାନ କରାଯାଇଛି।