ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏଥିରେ ଶିମିଳିପାଳ ପାଦଦେଶରେ ଥିବା ୧୪ଟି ଗ୍ରାମର ୨୫୦ରୁ ଅଧିକ ଗ୍ରାମବାସୀ ଓ ଛାତ୍ରୀଛାତ୍ର ଏକାଠି ହୋଇଥିଲେ। ପରିବେଶ ପ୍ରହରୀ, ସ୍ପାଡା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡର ଉପ-ନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପରିବେଶ ପ୍ରହରୀ, ସ୍ପାଡା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ପରିବେଶବିତ ବିବେକାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାଲିଡିହା ସରପଞ୍ଚ ଶକୁନ୍ତଳା ବିଶ୍ୱାଳ, କଳାପଥରା ସରପଞ୍ଚ ଶ୍ୟାମ ଚରଣ ସିଂ, ଭାଲୁକି ସରପଞ୍ଚ ପଦ୍ମାବତୀ ହଁାସଦା, ଆଇନଜୀବୀ ପଦ୍ମଲୋଚନ ମହାନ୍ତ, ସାମାଜିକ କର୍ମୀ ବିଲକାନ ପ୍ରଭୁଦୟାଲ ନାଗ, ପିଠାବଟା ରେଞ୍ଜ ଅଫିସର ଜିତେନ କୀସ୍କୁ, ସ୍ପାଡାର ଚୈତନ୍ୟ ପ୍ରସାଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ଶିମିଳିପାଳର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଡ. ଗୌଡା ବିସ୍ତୃତ ସୂଚନା ଦେଇଥିଲେ। ଶିମିଳିପାଳ ନିକଟରେ ଥିବା ଗ୍ରାମବାସୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଗଠନ କରିବା ପାଇଁ ଏକ ଖସଡା ପ୍ରସ୍ତୁତ କରିବାକୁ ପୂର୍ୱତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

ଉପସ୍ଥିତ ସମସ୍ତ ସରପଞ୍ଚ ନିଜ ଅଞ୍ଚଳର ଜଙ୍ଗଲ ସହିତ ଶିମିଳିପାଳ ଜଙ୍ଗଲର ସୁରକ୍ଷା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲ ପିଲାମାନେ ଶିମିଳିପାଳ ପାଇଁ ତାଙ୍କର ବକ୍ତବ୍ୟ ରଖିଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଶିମିଳିପାଳ ସମ୍ୱନ୍ଧୀୟ ଅନେକ ଛୋଟ ଛୋଟ ପ୍ରାମାଣିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ବନଖଣ୍ଡର ସୁମନ୍ତ ଚୌଧୁରୀ ଧନ୍ୟବାଦ ଦେଇଥିଲେ। ସ୍ପାଡାର ବୈଦ୍ୟନାଥ ମାରାଣ୍ଡି ଓ କଳେବର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share