ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ ବେଡା ଶାଳ ନିକଟ ପଡ଼ିଆରେ ଶୁକ୍ରବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛି। ମୌଜାର ମୋଟ ୪୦ ପଟ୍ଟାଦାରଙ୍କ ମୋଟ ୩୮ଏକର ୬୨୦ ଡିସିମିଲ ଘୋରାଇ ଜମି ଅଧିଗ୍ରହଣ ନେଇ ଲୋକଙ୍କଠାରୁ ଗ୍ରାମ ସଭାରେ ମତାମତ ଗ୍ରହଣ କରାଯାଇଥିଲା।

ଉପସ୍ଥିତ ଗ୍ରାମବାସୀ ସେମାନଙ୍କ ପ୍ରମୁଖ ୩୪ ଦଫା ଦାବି ଗୁଡିକ ମଧ୍ୟରେ ଜାତୀୟ ରାଜପଥ ଠାରୁ ୧ କିମି ପରିଧି ମଧ୍ୟରେ ଥିବା ଜମିର ଏକର ପିଛା ୭୫ କୋଟି ଟଙ୍କା ଓ ଜାତୀୟ ରାଜପଥଠାରୁ ୧ କିମି ଦୂର ଜମି ଏକର ପିଛା ୫୦କୋଟି ଟଙ୍କା ଦାବି ରଖି ଥିଲେ। ଏଥି ସହ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା ବ୍ୟବସ୍ଥା, ଯୁବତୀଯୁବକଙ୍କୁ କାରଖାନା ପ୍ରତିଷ୍ଠା ପୂର୍ବରୁ ତାଲିମ ପ୍ରଦାନ ଓ ଚାକିରି ଆଦି ସର୍ତ୍ତ ଉପସ୍ଥାପନ କରିଥିଲେ।

ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାୟକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ସ୍ଥାନୀୟ ୱାର୍ଡ଼ ମେମ୍ବର,ପାଟଣା ତହସିଲ ଦାର ଅଶିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟ ପକ୍ଷରେ କୋଡ ଖମଣ ଗ୍ରାମର ଲୋକମାନେ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ତରଫରୁ ଗାଁ ମୁଣ୍ଡରେ ରେଙ୍ଗାଳବେଡା ଗ୍ରାମସଭାକୁ ବିରୋଧ କରି ନାରାବାଜି କରିଥଲେ। ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପାଇଁ ଉପଜିଲାପାଳ ଉମାଶଙ୍କର ଦଳେଇ, ଅତିରିକ୍ତ ଆରକ୍ଷୀଅଧିକ୍ଷକ ସ୍ନେହାଶିଶ ସାହୁ, ଜ୍ୟୋର୍ତିମୟ ଭୁକ୍ତା ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ, ଘଟଗାଁ ଏସଡିପି ଓ ବିଜୟକୃଷ୍ଣ ମହାପାତ୍ର, ସାହାର ପଡ଼ା ବିଡିଓ ରଣଜିତ୍‌ ମହାନ୍ତ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁ , ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ହେଡ କ୍ୱାଟର ଇନ୍ସପେକ୍ଟର ମାନସ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ।

 

Dharitri – Odisha’s No.1 Odia Daily

 

Share