ଧର୍ମଶାଳା, ୨୭।୧୦(ଶିବପ୍ରସାଦ ମହାନ୍ତି): ଚଣ୍ଡିଖୋଲ ଠାରୁ ପାରାଦୀପକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରୁ କିଛି ଦୂରରେ ଗାନ୍ଧୀଛକ ନିକଟ ରାଜପଥ ଉପରେ ସ୍ଥାନୀୟ ୧୩ ପଞ୍ଚାୟତର ଲୋକେ ପ୍ରତିବାଦ ସଭା ଓ ଗଣଧାରଣା ଦେଇଛନ୍ତି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ସେଠାରେ ନିର୍ମାଣ ହେଉଥିବା ଗଳିପୋଲର ଉଚ୍ଚତା କମ ଥିବାରୁ ପ୍ରଶସ୍ତ ଗଳିପୋଲ ନିର୍ମାଣ ଦାବିରେ ଲୋକେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ। ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ରାସ୍ତା ଉପରୁ ଉଠିଥିଲେ। ଏହି ରାସ୍ତାଟି ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ରାଜପଥ ମଧ୍ୟରେ ଏକ ଗଳିପୋଳ ନିର୍ମାଣ କରାଯାଉଛି। କିନ୍ତୁ ଏହାର ଉଚ୍ଚତା କମ ଥିବା ବେଳେ ବହୁତ ଛୋଟ ରହିଛି। ଛୋଟ ଗାଡ଼ି ଏବଂ ବାଇକ ଯାତାୟାତ ସମ୍ଭବ କିନ୍ତୁ ବଡ଼ ଗାଡ଼ି ଯାତାୟାତ କରିପାରିବ ନାହିଁ। ଯାହା ଫଳରେ ପାଖାପାଖି ୧୩ ପଞ୍ଚାୟତର ହଜାର ହଜାର ଲୋକ ରାସ୍ତାର ଅପର ପାର୍ଶ୍ୱକୁ ଯିବା ପାଇଁ ବହୁତ ଦୂର ଯିବାକୁ ହେବ। ଯାହାଦ୍ୱାରା ଜରୁରୀ କାଳୀନ ସେବା ଭଳି ଗାଡ଼ି ଗୁଡ଼ିକ ଆସିବା ଯିବାରେ ମଧ୍ୟ ଅନେକ ସମୟ ବିଳମ୍ବ ହେବ। ସେହିପରି ଚାଷୀମାନେ ମଧ୍ୟ ଗାଡ଼ିରେ ଚାଷରେ ବ୍ୟବହୃତ ଗାଡ଼ି ଗୁଡ଼ିକ ବ୍ୟବହାର ପାଇଁ ମଧ୍ୟ ସମସ୍ୟା ଉପୁଜିବ। ଏ ବିଷୟରେ ବାରମ୍ବାର ପ୍ରଶାସନ ପାଖେ ଏହାର ସମାଧାନ ନିମନ୍ତେ ଜଣାଇଥିଲେ ବି ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟି ଦିଆ ଯାଇନଥିଲା। ଯାହା ଫଳରେ ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବସି ରହିଥିଲେ। ରାଜପଥର ଦୁଇ ପାଶ୍ୱରେ ଅନେକ ଗାଡ଼ି ଲମ୍ବା ଲାଇନ କରି ଛିଡା ହୋଇ ରହିଥିଲେ। ଘଟଣାସ୍ଥଳରେ ପି କେ ବର୍ମା (ଜାତୀୟ ରାଜପଥ ପି ଡି) ପହଞ୍ଚି ବୁଝାସୁଝା କରିବା ସହ ୩୦ଦିନର ସମୟ ନେଇଥିଲେ। ପରେ ଆନ୍ଦୋଳନ ହଟିଥିଲା ଏବଂ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
\