ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର ସରକାରୀ ଶ୍ମଶାନ ଓ ସ୍କୁଲ ଜମିକୁ ଜଣେ ବ୍ୟକ୍ତି ବେଆଇନ ଭାବେ କବ୍ଜା କରିଥିବା ପ୍ରତିବାଦରେ ଶୁକ୍ରବାର ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିବା ସହ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ପିତମାଣ୍ଡି ଗ୍ରାମର ହରିଶ୍ଚନ୍ଦ୍ର ନାଏକ ଦୀର୍ଘ ଦିନ ଧରି ଗ୍ରାମର ଶ୍ମଶାନ, ସ୍କୁଲ ଓ କିଛି ନିରୀହ ଲୋକଙ୍କ ନିଜସ୍ବ ଜମିକୁ ଜବରଦସ୍ତ ମାଡ଼ି ବସିଛନ୍ତି। ଏହାକୁ ବିରୋଧ କଲେ ଅଭିଯୁକ୍ତ ଜଣଙ୍କ ଧାରୁଆ ଅସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। “ସରକାରୀ ଜମିରେ ବିଦ୍ୟାଳୟ ନିର୍ମାଣ ହେଲେ ଆମ ପିଲାଙ୍କ ଭବିଷ୍ୟତ ଗଢ଼ି ହେବ, କିନ୍ତୁ ଅଭିଯୁକ୍ତ ଏଥିରେ ବାଧା ସୃଷ୍ଟି କରୁଛନ୍ତି” ବୋଲି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଲୋକେ ଥାନା ଫାଟକ ସମ୍ମୁଖରେ ହୋହଲ୍ଲା କରିଥିଲେ। ପୋଲିସର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଗ୍ରାମବାସୀ ତହସିଲଦାରଙ୍କୁ ସାକ୍ଷାତ କରି ଜମି ଜବରଦଖଲ ମୁକ୍ତ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆ ନ ଯାଏ, ତେବେ ରାଜରାସ୍ତାରେ ଅନଶନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସରପଞ୍ଚ ଧ୍ରୁବକାନ୍ତ ମାଝୀଙ୍କ ସମେତ ଶୁକ୍ରୁ ମାଝୀ, ସନ୍ତୋଷ କୁମାର ମାଝୀ ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।