ବର୍ଦ୍ଧିତ ବିଲକୁ ନେଇ ବିଦ୍ୟୁତ କାଟ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ହୋ ହାଲ୍ଲା

ଗଞ୍ଜାମ,୮ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଓଡ଼ିଆରପି କଲୋନୀରେ ବିଦ୍ୟୁତ କାଟକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପ୍ରତି ସାମୁଦ୍ରିକ କଇଁଚ ମାନଙ୍କ ଋଷିକୁଲ୍ୟା ମୁହାଁଣରେ ସମାଗମ ହୋଇଥିବାରୁ ୭ମାସ ସମୁଦ୍ରରେ ମାଛ ମାରିବା ନେଇ କଟକଣା ରହିଛି। ଯାହାକୁନେଇ ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ମାନେ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ ଛାତ୍ରୀଛାତ୍ରମାନଙ୍କ ପାଠ ପଢ଼ାରେ ଘୋର ବ୍ୟାଘାତ ଘଟିଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ, ସମୁଦ୍ରର ଆଁ ମଧ୍ୟରେ ନୂଆ ପୋଡ଼ମପେଟା ଗ୍ରାମ ଲୀନ ହେବାକୁ ଯାଉଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ଓଡ଼ିଆରପି ଗୃହ ପ୍ରଦାନ କରି ଥଇଥାନ କରାଯାଇଥିଲା। ହେଲେ ସେମାନେ ଗ୍ରହ ପ୍ରବେଶ ପୂର୍ବରୁ ବର୍ଦ୍ଧିତ ବିଲ ରହିଥିଲା। ଅନ୍ୟପଟେ ନୂତନ ସ୍ମାର୍ଟ ମିଟର ବସାଯାଇ ଟାଟା ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସେମାନଙ୍କୁ ବିଲ ପୈଠ କରିବାକୁ ବାଧ୍ୟ କରାଯାଥିଲା। ଏତେ ଟଙ୍କା ବାନ୍ଧିବା ପାଇଁ ଯୋର ଜବରଦସ୍ତ କରାଯାଇଥିବା ବେଳେ ଉପଭୋକ୍ତା ମାନେ ଏତେ ଟଙ୍କା ବାନ୍ଧିବା ନିମନ୍ତେ ଅକ୍ଷମତା ପ୍ରକାଶ କରିଥିଲେ। ଯାହା ଫଳରେ ସେମାନଙ୍କ ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ଯାହାକୁନେଇ ପ୍ରାୟ ୩୦ ପରିବାର ଗଞ୍ଜାମ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସେମାନେ ଅନ୍ଧାରରେ ରହିଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଲିଖିତ ଭାବେ ବିଲ ପୈଠ କରିବା ନେଇ ଜଣାଇଲେ ସେମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ଗଞ୍ଜାମ ବିଦ୍ୟୁତ୍‌ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ଜିଲା ପ୍ରଶାସନ ହସ୍ଥକ୍ଷେପ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଞ୍ଚବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି।