ନୂଆପଡ଼ା,୧୮ା୯ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଜୋଙ୍କ ଥାନା ବୁଢିପାଲି ପଞ୍ଚାୟତ ଜେଞ୍ଜରା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବିରୋଧ କରି ଗୁରୁବାର ଗ୍ରାମବାସୀ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ବହୁଶୀଘ୍ର ମଦ ବନ୍ଦ ପାଇଁ ଅବକାରୀ ଓ ପୋଲିସ ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେମାନେ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜେଞ୍ଜରା ଓ ଜାଙ୍ଗୁଳା ଗାଁ ମଝିରେ ଦୀର୍ଘଦିନରୁ ଦେଶୀ ଓ ବିଦେଶୀ ମଦ ବିକ୍ରୟ ଚାଲିଛି। ଏଥିଯୋଗୁ ଅନେକ ଅପ୍ରୀତିକର ଘଟଣା ଘଟୁଛି। ନିଶା ସେବନକାରୀ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଗାଁରେ ଅନେକ ଥର ସଭା କରି ମଦ ବିକ୍ରୟ ବନ୍ଦ କରିବା ପାଇଁ କୁହାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ବରଂ ଓଲଟା ଗ୍ରାମବାସୀଙ୍କୁ ମଦ ବ୍ୟବସାୟୀ ଧମକ ଦେଉଛନ୍ତି। ଖରିଆର ରୋଡ ଜୋଙ୍କ ଥାନା ଓ ନୂଆପଡା ଅବକାରୀ ବିଭାଗକୁ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା କିଛି ଫରକ ପଡୁନାହିଁ। ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। କୌଣସି ଅପ୍ରୀତିକର ଘଟଣା ଘଟିଲେ ଜିଲା ଓ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି। ନିଶା ମୁକ୍ତ ଗାଁ ଗଠନ କରିବା ପାଇଁ ଜିଲା ପ୍ରଶାସନ ଆମକୁ ସଚେତନ କରିବା କଥା। ହେଲେ ଆମେ ଜିଲା ପ୍ରଶାସନକୁ ସଚେତନ କରିବା ପାଇଁ ଆସୁଛୁ ବୋଲି ଜଣେ ମହିଳା ପ୍ରକାଶ କରିଥିଲେ। ନିଶା, ପ୍ଲାଷ୍ଟିକ ଓ ଦାଦନ ମୁକ୍ତ ଜିଲା ଗଠନ କରିବା ପାଇଁ ଜିଲା ପ୍ରଶାସନ ଡିଣ୍ଡିମ ପିଟୁଛନ୍ତି। ହେଲେ ଏହା ପ୍ରହସନ ପାଲଟିଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ଗାଁରେ ମଦ ବିକ୍ରି ବନ୍ଦ ନ ହେଲେ ସମସ୍ତ ମହିଳା ଓ ପୁରୁଷ ଜିଲାପାଳଙ୍କ କାର୍ଯ୍ୟାଳୟ, ବାସଭବନ ଓ ରାଜରାସ୍ତାରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ସମାବେଶରେ କୁନ୍ତି ବାଇ ସାହୁ, ରେଖରାମ ସାହୁ, ଖୁବି ପଟେଲ, ରାଜ ପଟେଲ, ରାଜାରାମ ସାହୁ, ଦିନେଶ କୁମାର ପଟେଲ, ମନେଘରାଜ ସାହୁ, ରାଜ କୁମାର, ହର୍ଦେ କେଉଟ, ଗାନ୍ଧୀ ସାହୁ, ସନ୍ତୋଷ ରାଉତ, ମୋହିତ କେଉଟ ପ୍ରମୁଖ ସାମିଲ ଥିଲେ।