ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ । ପ୍ରାୟ ଅଧଘଣ୍ଟା ରାସ୍ତା ଅବରୋଧ ଯୋଗୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।
ଏପରି କି ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା । ଖବରପାଇ ବାରଙ୍ଗ ଥାନା ପୋଲିସ ଏବଂ ଏସିପି ଘଟଣାସ୍ଥଳରେ ପହଁଞ୍ଚି ଗ୍ରାମବାସୀମାନଙ୍କୁ ବୁଝାଶୁଝା କରି ସ୍ଥାୟୀ ପାନୀୟ ଜଳ ଯୋଗାଣର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।
ପ୍ରକାଶ ଯେ, ବାରଙ୍ଗ ବ୍ଲକ ଅଧୀନ କୁହ୍ନେଇଁପଡ଼ା ପଞ୍ଚାୟତ ପାଟପୁର ଗ୍ରାମର ସାମଲ ସାହି ଏବଂ ଶବର ସାହିରେ ରହୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ପିଇବା ପାଣି ପାଇଁ ଦୀର୍ଘ ବର୍ଷ ହେଲା ହଇରାଣ ହେଉଛନ୍ତି। ବିଶେଷ କରି ଖରାଦିନ ଆସିଲେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରୁଛି। ଯଦିଓ ଗାଁରେ ପାନୀୟଜଳ ଯୋଗାଣ ପାଇଁ ନଳକୂଅ ରହିଛି। ହେଲେ ଏଥିରୁ ଲୌହଯୁକ୍ତ ପାଣି ବହାରୁଥିବାରୁ ତାହା ପିଇବା ପାଇଁ ଅନୁପଯୁକ୍ତ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫଳରେ ଗ୍ରାମବାସୀମାନେ ସିଏମ୍ସି ଅଧୀନରେ ୧କିମି ଦୂରରେ ଥିବା ୩ନମ୍ୱର ଓ଼୍ବାର୍ଡରେ ଥିବା ବେଂଣ୍ଟକାରପଡ଼ାଉପରେ ନିର୍ଭର କରିଥାନ୍ତି। ଏପରିକି ଗାଡିଆ ପୋଖରୀ ମଧ୍ୟ ଗ୍ରାମବାସୀଙ୍କ ପାଇଁ ସାହାରା ସାଜିଥାଏ। ଅନ୍ୟପକ୍ଷେ ବ୍ରାହ୍ମଣୀ ଗାଁରେ ବସୁଧା ଯୋଜନାରେ ହୋଇଥିବା ୧ଲକ୍ଷ ଲିଟରେ କ୍ଷମତା ସମ୍ପନ୍ନ ଉଚ୍ଚ ପାଣି ଟାଙ୍କିରୁ ଉକ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ପାଣି ଠିକ୍ ଭାବେ ଆସୁ ନ ଥିବାରୁ ପୂର୍ୱଭଳି ପାଣି ସମସ୍ୟା ଦେଖାଦେଇଛି।
ଏହାର ସ୍ଥାୟୀ ପ୍ରତିିକାର ପାଇଁ ଗ୍ରାମବାସୀ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ । ଏହାର ପ୍ରତିବାଦରେ ସୋମବାର ଗ୍ରାମବାସୀ ଗାଁ ମୁଣ୍ଡରେ ତ୍ରିଶୂଳିଆ-ବାଙ୍କି ରାସ୍ତାରେ ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ କରିଥିଲେ।
ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହି ଯାତାୟାତ ଠପ୍ ହୋଇଯାଇଥିଲା। ଏପରିକି ଗ୍ରାମବାସୀ ହେ ପ୍ରଭୁ ପାଣି ଟୋପାଏ ଦିଅ ବୋଲି କହି ନାରାବାଜି କରିଥିଲେ।
ଖବରପାଇ ଜୋନ-୪ଏସିପି ଅମିତାଭ ମହାପାତ୍ର ଓ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାଶୁଝା କରିଥିଲେ । ହେଲେ ଗ୍ରାମବାସୀ ଗାଁକୁ ଜଳ ଯୋଗାଣର ସ୍ଥାୟୀ ପ୍ରତିକାର ପାଇଁ ଦାବି କରି ଆନ୍ଦୋଳନ କରିଥିଲେ।
ଶେଷରେ ଗ୍ରାମୀଣ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ୱାହୀ ଯନ୍ତ୍ରୀ ସଂଜ୍ଞା ସାଗରୀକା ସ୍ୱାଇଁ ଘଟଣାସ୍ଥଳରେ ପହଁଞ୍ଚି ପ୍ରାଥମିକ ପର୍ଯ୍ୟାୟରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏପରିକି ପରବର୍ତ୍ତୀ ସମୟରେ ମଣ୍ଡଳୀଠାରେ କାର୍ଯ୍ୟ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଥିଲେ।
ଦେଇଥିବର ପ୍ରତଶ୍ରୁତି କାର୍ଯ୍ୟକାରୀ ନ ହେଲେ ପୁଣି ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀ ଆନ୍ଦୋଳନରୁ ଓହରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।