ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି ମିଛ ଅଭିଯୋଗ କରିଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଅଭିଯୋଗ ଅନୁସାରେ ମେଣ୍ଡାମାଳ ଗ୍ରାମରେ କେତେକ ବ୍ୟକ୍ତି ଗୋଚର ଜମି ଜବରଦଖଲ କରିଥିଲେ। ଏନେଇ ଗ୍ରାମବାସୀ କିଛି ଦିନ ପୂର୍ବରୁ ବୀରମହାରାଜପୁର ତହସିଲଦାରଙ୍କ ଦ୍ବାରସ୍ଥ ହୋଇ ଜବରଦଖଲ ଉଚ୍ଛେଦ କରିବାକୁ ଦାବି କରିଥିଲେ। ପରେ ତହସିଲ ତରଫରୁ ଗ୍ରାମରେ ଗୋଚର ଓ ସରକାରୀ ଜମି ଚିହ୍ନଟ କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ନୂଆଁପାଲି ଗ୍ରାମର ଶିଶୁପାଳ ପ୍ରଧାନ ତାଙ୍କ ନିଜ ଜମିରୁ ଧାନ କାଟି ନେଇଥିବା ନେଇ ବୀରମହାରାଜପୁର ଥାନାରେ ମେଣ୍ଡାମାଳ ଗ୍ରାମର ଚାରିଜଣ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଥାନା ଅଧିକାରୀଙ୍କୁ ଭେଟି ଏହା ମିଥ୍ୟା ଅଭିଯୋଗ ବୋଲି ପ୍ରକାଶ କରିଛନ୍ତି। ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଗ୍ରାମର ଶତାଧିକ ବ୍ୟକ୍ତି ଥାନାକୁ ଆସି ଏହାର ପ୍ରତିବାଦ କରି ଥାନା ଘେରିଛନ୍ତି।

Dharitri – The Largest & Most Trusted Odia Daily