ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା ବନ୍ଦ କରିଛନ୍ତି ତ୍ରିଲୋଚନପୁର ଗ୍ରାମବାସୀ।
ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲଠୁ ଆରମ୍ଭ କରି ସ୍କୁଲ କଲେଜ ସମେତ ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ମଧ୍ୟ ବୃକ୍ଷ ରୋପଣ କରୁଛନ୍ତି। କିନ୍ତୁ ଶହଶହ ଗଛକଟାର ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନସ୍ଥ ଗନ୍ଧନୀ ରିଜର୍ଭ ଜଙ୍ଗଲରେ।
ଏହି ରିଜର୍ଭ ଜଙ୍ଗଲ ଲାଞ୍ଜିଗଡ଼ ବନବିଭାଗ ଅଧୀନରେ ୩ କିମି ଦୂର ରହିଥିବା ବେଳେ ବିଜେପୁର ବନ ବିଭାଗ ଅଧୀନରେ ୫ କିମି ଦୂର ରହିଛି। ବର୍ତ୍ତମାନ ଗ୍ୟାସ ଲାଇନ ପାଇଁ ଓଏଫ୍ଡିସି ବିଭାଗ ପକ୍ଷରୁ ୧ କିମି ପର୍ଯ୍ୟନ୍ତ ଶତାଧିକ ବଡ ବଡ ମୂଲ୍ୟବାନ ଗଛ କଟାଯାଇଛି।
ଲାଞ୍ଜିଗଡ଼ଠାରୁ ବିଜେପୁରକୁ ସଂଯୋଗ କରୁଥିବା ୧୭ କିମି ରାସ୍ତାରେ ଗଲେ ୮କିମି ଦୂର ଏହି ରିଜର୍ଭ ଜଙ୍ଗଲ ଭିତର ଦେଇ ତ୍ରିଲୋଚନପୁର ଗାଁକୁ ଯିବାକୁ ପଡ଼େ। କିନ୍ତୁ ଏହି ୧୭ କିମି ରାସ୍ତା ନିର୍ମାଣ ପାଇଁ ଆଜିକୁ ୨ ବର୍ଷ ହେଲା ଟେଣ୍ଡର ହୋଇଥିବା ବେଳେ ରାସ୍ତାର ନିର୍ମାଣ କାର୍ଯ୍ୟ ୯କିମି ଆରମ୍ଭ ହୋଇଛି।
ରାସ୍ତାକାମ କରିବା ପାଇଁ ଠିକାଦାର ପ୍ରୟାସ ଆରମ୍ଭ କରିଥିବା ବେଳେ ଜଙ୍ଗଲ ବିଭାଗ କଟକଣା ଯୋଗୁ କାମ ଆଗେଇ ପାରୁନି। ରାସ୍ତା କଡ଼ରେ ଥିବା ଛୋଟ ଛୋଟ ଗଛ ରହିଥିବା ଯୋଗୁ ବନବିଭାଗର ଅନୁମତି ମିଳିଲେ ଗଛ କଟାଗଲେ କାମ ଆରମ୍ଭ ହେବ ବୋଲି କହୁଛି।
ହେଲେ ତ୍ରିଲୋଚନପୁରବାସୀଙ୍କୁ କୌଣସି ସୂଚନା ନ ଦେଇ ଏବେ ସେହି ରିଜର୍ଭ ଜଙ୍ଗଲକୁ ଗ୍ୟାସ ଲାଇନ ଯୋଗୁ ମନଇଚ୍ଛା ଶହଶହ ଶାଗୁଆନ, ଶାଳ, ହରିଡ଼ା, ବାହାଡା ଭଲି ମୂଲ୍ୟବାନ ଗଛ କାଟୁଥିବା ନେଇ ବନବିଭାଗ କାହିଁକି ନିରବ ସାଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରିଜର୍ଭ ଜଙ୍ଗଲ ବନ୍ୟପ୍ରାଣୀଙ୍କ ଆଶ୍ରୟ ସ୍ଥଳୀ ବୋଲି ତ୍ରିଲୋଚନପୁରବାସୀ ଗଛ କାଟିବା ସ୍ଥାନକୁ ଆସି ଗଛ କଟା ବନ୍ଦ କରିଛନ୍ତି। ଏନେଇ ବିଶ୍ୱନାଥପୁର ବନାଞ୍ଚଳ ଦାୟିତ୍ୱରେ ଥିବା ଏସିଏଫ୍ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗ୍ୟାସ ଲାଇନ କାମ ଚାଲିଥିବା ବେଳେ ପାଇପ ଲାଇନ ଯିବା ସ୍ଥାନରେ ଗଛ କାଟିବା ପାଇଁ ସରକାରଙ୍କ ତରଫରୁ ଓଏଫଡିସିକୁ ଅନୁମତି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।