ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି କମ୍ପାନୀ ଗ୍ରାମ ଟ୍ରାନ୍ସଫର୍ମୋରରୁ ବିଦ୍ୟୁତ ସଂଯୋଗକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି। ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରୁ ଏଲ ଆଣ୍ଡ ଟି କମ୍ପାନୀ ଜୋର ଜବରଦସ୍ତ ବିଦ୍ୟୁତ ଖୁଣ୍ଟ ପକାଇ ସଂଯୋଗ କରୁଥିବା ବେଳେ ଗ୍ରାମବାସୀ ବାରଣ କରିଥିଲେ। ଏପରିକି ଖରା ଦିନେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଲୋ-ଭୋଲଟେଜ ବିଦ୍ୟୁତ ଯୋଗୁଁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ଗାଁ ଲୋକଙ୍କ ପାଇଁ ଦିଆଯାଇଥିବା ଗ୍ରାମୀଣ ବିଦ୍ୟୁତ ବିତରଣ ଟ୍ରାନ୍ସଫର୍ମରରୁ କିଛି ଅସାଧୁ ଅଧିକାରୀଙ୍କ ସହଯୋଗରେ କମ୍ପାନୀ କର୍ତ୍ତୃପକ୍ଷ ବିଦ୍ୟୁତ ସଂଯୋଗ ନେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗ୍ରାମବାସୀମାନେ ବେଶ କିଛି ସମୟ ଧରି ଆନ୍ଦୋଳନ କରିବା ସହ କମ୍ପାନୀ ଗାଡି ଗୁଡିକୁ ଫେରି ଯିବାକୁ ଦାବି କରିଥିଲେ।
ଏଥିସହିତ ତୁରନ୍ତ ବିଦ୍ୟୁତ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସେପଟେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।