ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ରେଶମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପଦର ଏବଂ ନନ୍ଦିନୀପୁର ଗ୍ରାମ ସଂଲଗ୍ନରେ ଏକ ଦେଶୀମଦ ବ୍ରାଞ୍ଚଭାଟି ଖୋଲାଯାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ଉଭୟ ଇଚ୍ଛାପଦର ଏବଂ ନନ୍ଦିନୀପୁର ଗ୍ରାମର ମହିଳା, ପୁରୁଷ ଜିଲାପାଳ ଏବଂ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଉତ୍ତମ ବାଗ ଏବଂ ଅବକାରୀ ଅଧୀକ୍ଷକ ସୁବନ କୁମାର ନାଏକଙ୍କୁ ଗ୍ରାମବାସୀ ପୃଥକ୍ଭାବେ ଦାବିପତ୍ର ପ୍ରଦାନ କରିଥିଲେ। ଉପରୋକ୍ତ ସ୍ଥାନରେ ମଦଭାଟି ନିର୍ମାଣକୁ ତୁରନ୍ତ ବନ୍ଦ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
ଦାବିପତ୍ରରେ ଉଲ୍ଲେଖ ରହିଛି, ସମ୍ପୃକ୍ତ ମଦଭାଟି ଯେଉଁ ସ୍ଥାନରେ ନିର୍ମାଣ କରାଯାଉଛି, ସେଠାରୁ ଅନତିଦୂର ଅର୍ଥାତ୍ ୫୦ରୁ ୬୦ ମିଟର ଦୂରରେ ଗ୍ରାମର ସ୍କୁଲ ରହିଛି। ସେହିପରି ସ୍କୁଲ ପାଖରେ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଅଛି। ଏହା ସହିତ ସେହି ରାସ୍ତାରେ ନିୟମିତ ଛାତ୍ରୀଛାତ୍ର, ଗ୍ରାମବାସୀ ଯାତାୟାତ କରୁଛନ୍ତି। ସେଠାରେ ମଦଭାଟି ଖୋଲାଗଲେ ଛାତ୍ରୀଛାତ୍ର ସ୍କୁଲକୁ ଆସିବାରେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ସେହିପରି ମହିଳା, ପୁରୁଷ ମନ୍ଦିରକୁ ଯାତାୟାତ କରିବା ମଧ୍ୟ ସୁରକ୍ଷିତ ନୁହେଁ। କେବଳ ସେତିକି ନୁହେଁ, ସମ୍ପୃକ୍ତ ସ୍ଥାନରେ ମଦଭାଟି ଖୋଲାଗଲେ ଏହାର ଯଥେଷ୍ଟ କୁପ୍ରଭାବ ଗ୍ରାମର କୋମଳମତି ପିଲାଙ୍କଠାରୁ ଆରମ୍ଭ କରି ସମସ୍ତ ଗ୍ରାମବାସୀଙ୍କ ଉପରେ ପଡ଼ିବ। ଲୋକେ ମଦ ପିଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବାର ଆଶଙ୍କା ଦେଖାଯାଇଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ର ମଧ୍ୟ ପ୍ରଭାବିତ ହେବ। ମଦ ପିଇ ଅଞ୍ଚଳର ଅନେକ ଲୋକଙ୍କ ସ୍ବାସ୍ଥ୍ୟହାନି ହୋଇଥିବାବେଳେ ଲୋକେ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଦୃଷ୍ଟିରୁ ସମ୍ପୃକ୍ତ ସ୍ଥାନରେ ମଦଭାଟି ନିର୍ମାଣକୁ ଶୀଘ୍ର ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ଲଲିତା ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଲଲିତା ଭୋଇ, ସୁନୀଲ ବାରିକ, ଅର୍ଜୁନ ଭୁଏ, ସୀତାରାମ ପ୍ରଧାନ, ଝସକେତନ ପ୍ରଧାନ, କୃଷକ ସଂଗଠନର ସୁଦାମ ପାତ୍ର, ବିକାଶ ମାଝୀ, ସୁରେଶ ନେକାଣ୍ଟି, ରମେଶ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।