ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ପୁନେର ବାଲାଜୀ କର୍ପୋରେଶନ ନାମକ କମ୍ପାନୀ କନ୍ଧଚନ୍ଦନପେଡ଼ି ଗ୍ରାମରେ ଜମି କ୍ରୟ କରି ଆମୋନିୟମ୍‌ ନାଇଟ୍ରେଟ ଗୋଦାମ ଗୃହ ନିର୍ମାଣ ପାଇଁ ଏନ୍‌ଓସି ପ୍ରଦାନ ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପରେ ବୁଗୁଡ଼ା ତହସିଲ ପକ୍ଷରୁ ୨୪ ଡିସେମ୍ବର ୨୦୨୫ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବା ପାଇଁ ୮ ଡିସେମ୍ବର ୨୦୨୫ ତାରିଖରେ ନୋଟିସ ଜାରି କରିଥିଲେ। ଏହାର ଉତ୍ତରରେ କନ୍ଧଚନ୍ଦନପେଡ଼ି ଗ୍ରାମବାସୀ ଆମୋନିୟମ ନାଇଟ୍ରେଟ୍‌ ଗୋଦାମ ଗୃହକୁ ବିରୋଧ କରି ଡିସେମ୍ବର ୨୦ ତାରିଖରେ ଅଭିଯୋଗ ଦାଖଲ କରିଥିଲେ।

ତେବେ କମ୍ପାନୀ କର୍ତ୍ତୃପକ୍ଷ କିଛି ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ଫର୍ଜରୀ ଦସ୍ତଖତ ନେଇ ଗ୍ରାମରେ ଗୋଦାମ ଗୃହ ହେଉ ବୋଲି ତହସିଲ କାର୍ଯ୍ୟାଳୟକୁ ଜଣାଇଥିଲେ। ଫଳରେ ବୁଗୁଡ଼ା ତହସିଲ ପକ୍ଷରୁ ମଙ୍ଗଳବାର ଶୁଣାଣି କରିବା ପାଇଁ ଗ୍ରାମବାସୀଙ୍କୁ କାର୍ଯ୍ୟାଳୟକୁ ଡକାଯାଇଥିଲା।

ଶୁଣାଣି ସମୟରେ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ। ଗ୍ରାମରେ କୋଠଘର କରାଯିବ କହି ସାଧା କାଗଜରେ ଗ୍ରାମର ନର୍ମଦା ନାୟକଙ୍କ ଠାରୁ ପୂର୍ବରୁ ଦସ୍ତଖତ ନିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଆମୋନିୟମ ନାଇଟ୍ରେଟ ଗୋଦାମ ହେଲେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ଏବଂ ସେଠାରେ ହରିଣମାନେ ଅବାଧରେ ବିଚରଣ କରୁଥିବା ବେଳେ ସେମାନଙ୍କ ଉପରେ ମଧ୍ୟ କୁପ୍ରଭାବ ପଡ଼ିବା ନେଇ ଗ୍ରାମବାସୀ କହିଥିଲେ। ଏପରି ଦୃଢ଼ ବିରୋଧ ସତ୍ତ୍ୱେ ତହସିଲ ପକ୍ଷରୁ ଯଦି ଏନ୍‌ଓସି ପ୍ରଦାନ କରାଯାଏ ତେବେ ଗ୍ରାମବାସୀ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।