ଗଞ୍ଜାମ, ୩୦।୧୦(ଅଖିଳ ତରାଇ): ବନ୍ୟା ପରିସ୍ଥିତି ଏବଂ ଲଗାଣ ବର୍ଷା ଯୋଗୁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ, ଗଞ୍ଜାମ ବ୍ଲକର ସମୁଦ୍ରକୂଳ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ନିଜର ଦୀର୍ଘ ଦିନର ଦାବିକୁ ପୁନରୁତ୍ଥାନ କରି ମୁହାଣ ଖୋଳିଛନ୍ତି।
ପୁରୁଣାବନ୍ଧ, ଅଗସ୍ତି ନୂଆଗାଁ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମିଳିତ ଭାବେ ଦିନତମାମ ପରିଶ୍ରମ କରି ଋଷିକୂଲ୍ୟା ନଦୀକୁ ବଙ୍ଗୋପସାଗର ସହ ମିଶାଇବା ପାଇଁ ଏହି ମୁହାଣ ଖୋଳିବାରେ ଲାଗିଥିବା ଦେଖାଯାଇଛି।
ମତ୍ସ୍ୟଜୀବୀମାନଙ୍କ କହିବାନୁସାରେ, ଯଦି ନଦୀ ଏବଂ ସମୁଦ୍ରର ମିଶ୍ରଣସ୍ଥଳ ସାଧାରଣ ଭାବେ ଖୋଲା ରୁହେ, ତେବେ ନଦୀର ଜଳପ୍ରବାହ ସୁଗମ ହେବ ଏବଂ ନଦୀ ମୁଖରେ ପାଣି ଜମା ହେବନାହିଁ। ଏହାଦ୍ୱାରା ବନ୍ୟା ଆଶଙ୍କା କମିବା ସହିତ ମାଛ ଧରିବା ସୁବିଧାଜନକ ହେବ। ସେମାନେ ଆଶା କରୁଛନ୍ତି ଯେ, ଏହା ଫଳରେ ମାଛ ଉତ୍ପାଦନ ବଢ଼ିବ ଏବଂ ସେମାନଙ୍କର ଜୀବିକା ସୁଦୃଢ଼ ହୋଇପାରିବ। ବର୍ତ୍ତମାନର ବନ୍ୟା ପରିସ୍ଥିତିରେ ମୁହାଣ ଖୋଲିବା ନଦୀର ଜଳସ୍ତର କମାଇବାରେ ସହାୟକ ହେବ।