ରାସ୍ତା କାମ ନିମ୍ନମାନର ଅଭିଯୋଗ: କାମ ବନ୍ଦ କଲେ ମସ୍କାପଦର ଗ୍ରାମବାସୀ

ଲାଞ୍ଜିଗଡ଼,୨୧ା୧୧(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ଲାଞ୍ଜିଗଡ଼-ବିଶ୍ୱନାଥପୁର ପିଡବ୍ଲ୍ୟୁଡି ରାସ୍ତାଠାରୁ ମସ୍କାପଦର କଲୋନିପଡ଼ା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ଗୁରୁବାର ଗ୍ରାମବାସୀ କାମ ବନ୍ଦ କରିଛନ୍ତି।
ସୂଚନା ମୁତାବକ ମୁଖ୍ୟ ପିଡବ୍ଲ୍ୟୁଡି ରାସ୍ତାଠାରୁ ମସ୍କାପଦର କଲୋନିପଡ଼ା ଭାୟା ଖଜୁରପଦରକୁ ସଂଯୋଗ କରୁଥିବା ୨ କି.ମି. ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ଏହି କାମକୁ ଖଡ଼ିଆଳର ଜଣେ ଠିକାଦାର ନେଇଥିବା ବେଳେ ଗତ ମେ ମାସରେ ଆରମ୍ଭ କରିଥିଲେ। ଏହି ରାସ୍ତାର ମଧ୍ୟଭାଗରେ ଗୋଟିଏ କଲଭର୍ଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ଏହା ତଳୁ ମାଟି ଖସୁଛି। କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ କହିହେବ ନାହିଁ। ଏହାକୁ ନେଇ ମସ୍କାପଦର ଗ୍ରାମବାସୀ ଠିକାଦାର ଓ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ସେମାନେ ରାସ୍ତା କାମ ସହିତ କଲଭର୍ଟ କାମ ମଧ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଠିକାଦାର ମାତ୍ର ୧୫ ଦିନ କାମ କରିବା ପରେ କାମ ବନ୍ଦ କରି ଚାଲିଯାଇଥିଲେ। ପରେ ଗ୍ରାମବାସୀ ଠିକାଦାର ଓ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେବେ କାମ ଆରମ୍ଭ ହେବ ସନ୍ତୋଷ ଜନକ ଉତ୍ତର ମିଳି ନ ଥିଲା। କାମ ବିଳମ୍ବ ଯୋଗୁ ଏହାକୁ ନେଇ ଗତ ୧୦ ତାରିଖରେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଗୁରୁବାର ଠିକାଦାର କାମ ଆରମ୍ଭ କରିଛନ୍ତି। ରାସ୍ତା କାମରେ ସୂଚନା ଫଳକ ନ ଥିବା ଯୋଗୁ କେତେ ଟଙ୍କା ବ୍ୟୟ ଅଟକଳରେ କାମ ହେଉଛି ଜଣାପଡିନାହିଁ। ଏ ନେଇ ବାରମ୍ବାର ପଚାରିଲେ ମଧ୍ୟ ଜଣାଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ମେ ୧୫ ମଧ୍ୟରେ ମେଟାଲିଂ କରି ଠିକାଦାର ଚାଲି ଯାଇଥିଲେ। ଏବେ ରାସ୍ତାର ଦୁଇ ପାର୍ଶ୍ୱରେ ଜେସିବି ମାଧ୍ୟମରେ ସାଇଜ୍‌ କରି ରାସ୍ତାରେ ଥିବା ଧୂଳି ଭଲ ଭାବରେ ସଫା ନ କରି ପିଚୁ କାମ ଆରମ୍ଭ କରିବା ପୂର୍ବରୁ ଗ୍ରାମବାସୀ କାମ ବନ୍ଦ କରିଥିବା ପ୍ରକାଶ କରିଛନ୍ତି। ଉକ୍ତ କାମ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ ଅସିତ ଖଟୁଆ କିମ୍ବା ଠିକାଦାର ଆସୁ ନ ଥିବା ବେଳେ ଗାଁ ମୁନ୍‌ସି ଭରସାରେ କାମ ଚାଲିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଖଟୁଆଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ ନ କରିବାରୁ ମତାମତ ମିଳିପାରି ନାହିଁ। ଏଥିପ୍ରତି କଳାହାଣ୍ଡି ଜିଲାପାଳ ଦୃଷ୍ଟି ଦେବାକୁ ମସ୍କାପଦର ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share