କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର କ୍ଷୀର ପିଇଥିବାରୁ କୌଣସି ଅଘଟଣ ଘଟିବା ଭୟରେ ଲୋକେ ଇଞ୍ଜେକ୍ସନ ନେବା ପାଇଁ ଶନିବାର ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭିଡ଼ ଜମାଇଛନ୍ତି।

ଶନିବାର ପ୍ରାୟ ୫୨ ଜଣ ଇଞ୍ଜେକ୍ସନ ନେଇଛନ୍ତି । ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା କେହି ଗୁରୁତର ହୋଇନାହାନ୍ତି । ତଥାପି ସତର୍କତାମୂଳକ ଭାବେ ସମସ୍ତେ ପ୍ରତିଷେଧକ ଇଞ୍ଜେକ୍ସନ ନେଉଛନ୍ତି । ସ୍ବାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ନଜର ରଖିଥିବା ବେଳେ ଗ୍ରାମବାସୀଙ୍କୁ ଆତଙ୍କିତ ନ ହେବାକୁ କୁହାଯାଇଛି। ଯଦି କେହି କିଛି ଅସୁବିଧା ଅନୁଭବ କରନ୍ତି ତା’ହେଲେ ତୁରନ୍ତ ଚିକିତ୍ସାଳୟକୁ ଆସିବାକୁ ଡାକ୍ତର ଅର୍ପିତା ପ୍ରିତମ ନାୟକ ପରାମର୍ଶ ଦେଇଛନ୍ତି।

ସୂଚନା ଯୋଗ୍ୟ, ଉମରକୋଟ ପୌରାଞ୍ଚଳ ୧୨ ନମ୍ବର ୱାର୍ଡର ଅଶ୍ରୁ ରାୟଙ୍କ ଗାଈ ନିକଟରେ ପ୍ରଥମକରି ବାଛୁରୀ ଜନ୍ମ କରିଥିବାରୁ ସେ ୱାର୍ଡର ଅନେକ ଘରକୁ କ୍ଷୀର ବାଣ୍ଟିଥିଲେ। କିଛି ପରିବାର ମଧ୍ୟ ପ୍ରତିଦିନ ତାଙ୍କ ଘରୁ କ୍ଷୀର ନେଇ ପିଉଥିଲେ।

ଅନ୍ୟପଟେ ଗୋପାଳକ ଅଶ୍ରୁ ରାୟଙ୍କ ଗାଈ ୨ଦିନ ତଳେ ଅସୁସ୍ଥ ହେବାରୁ ସେ ଗାଈକୁ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଥିଲେ । ଗାଈକୁ କୁକୁର କାମୁଡ଼ିଥିବାରୁ ସେ ପାଗଳ ଭଳି ହେଉଛି କହି ଚିକିତ୍ସା କରିଥିଲେ। କିନ୍ତୁ ଶୁକ୍ରବାର ସାରେ ହଠାତ୍‌ ଗାଈର ମୃତ୍ୟୁ ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଇଞ୍ଜେକ୍ସନ ନେବା ପାଇଁ ଅପେକ୍ଷା କରିଛନ୍ତି।

Share