ଟୋକିମରା ପର୍ବ ପାଇଁ ଗାଁରୁ ସହର ଚଳଚଞ୍ଚଳ: ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ଆସନ୍ତା ୨୮ରେ…

ଥୁଆମୂଳ ରାମପୁର,୧।୧୨-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ମା’ମାଟି, ମା’ମାଟି ଦେବତାଙ୍କର ପୂଜା ସକାଶେ ଗାଁ ଠାରୁ ସହର ଏବେଠୁ ଚଳଚଞ୍ଚଳ ହେଲାଣି। ଆଦିବାସୀମାନଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ ଟୋକି ମରା ପର୍ବ। ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ପୂର୍ବ ପୁରୁଷଙ୍କ ଅମଳରୁ ଚାଲି ଆସୁଥିବା ଏହି ପର୍ବ ପରମ୍ପରା ଅନୁଯାୟୀ ପ୍ରତି ୨୦ ବର୍ଷକୁ ଥରେ ଟୋକି ପର୍ବ ଭାବେ ପରିଚିତ ରହି ଧରଣୀ ଖୁଣ୍ଟରେ ଗଡରା ବଳି ଦିଆଯାଇଥାଏ । ଏହି ବିଶ୍ୱାସରେ ପୁରାତନ ଯୁଗରୁ ପାଳନ ହୋଇ ଆସୁଥିବା ଅଞ୍ଚଳର ମୁଖ୍ୟ ପର୍ବ ଟୋକି ମରାକୁ ନେଇ ଆନନ୍ଦ ଉଲ୍ଲାସ ଦେଖାଦେଇଛି । ଏହି ଅବସରରେ ରବିବାର ଗୋପାଳପୁର ଗ୍ରାମପଞ୍ଚାୟତ ସଦର ସ୍ଥିତ ବେନ୍ଦାଝଲା ଗ୍ରାମଠାରେ ଗଣ୍ଠି ବନ୍ଧା ଉତ୍ସବ ବେଶ ଧୂମ୍‌ଧାମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଖପାଖ ଗାଁର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଖଣ୍ଡ ଗ୍ରାମବାସୀ ଆସି ଉପସ୍ଥିତ ରହି ପର୍ବ ପାଳନ ଉପରେ ଆଲୋଚନା କରି ନିଜ ନିଜ ଗାଁ ଫେରି ଯାଇଛନ୍ତି । ଏନେଇ ଆୟୋଜିତ ଗାଁର ଯାନୀ, ଦିଶାରି, ଗୁରମା ଏମାନଙ୍କ ମଧ୍ୟରେ ଏବେଠୁ ଅବଗଣନା ଆରମ୍ଭ ହେଲାଣି। ଚଳିତବର୍ଷ ବ୍ଳକର ବେନ୍ଦାଝଲା ଗାଁରେ ଟୋକି ମରା ପର୍ବ ପାଳନ ହେବାକୁ ଯାଉଥିବା ବେଳେ ରବିବାର ଗଣ୍ଠି ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଆସନ୍ତା ଡିସେମ୍ବର ୨୮ ତାରିଖ ଟୋକି ମରା ପର୍ବ ବେନ୍ଦାଝଲା ଗାଁରେ ଆୟୋଜିତ ହେବାର ଧାର୍ଯ୍ୟ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମର ଧରଣି ଖଣ୍ଟଠାରେ ସେଦିନ ଏକ ଗୃହ ପାଳିତ ପଶୁ ଯାହାକି ମେଣ୍ଢାକୁ ବଳି ଦିଆଯିବ। ସେହି ମେଣ୍ଢା ମାଂସ ବା (ତୁପୁକା)କୁ ଆଣି ଆସିବା ପାଇଁ ପୁଣି ଶହ ଶହ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଏକତ୍ରୀତ ଭାବରେ ବେନ୍ଦାଝଲା ଗାଁ ଠାରେ ୨୦୨୫ ବର୍ଷର ଟୋକି ମରା ପର୍ବ ପାଳନ କରିବେ। ଏହି ଅବସରରେ ଅତିଥି ଭାବରେ କଳାହାଣ୍ଡି ଜିଲା କଂଗ୍ରେସ ଦଳର ସାଂସଦ ପ୍ରାର୍ଥିନୀ ଦ୍ରୌପଦୀ ମାଝୀ, ବରିଷ୍ଠ ସମାଜ ସେବୀ ଦେବେନ୍ଦ୍ର କୁମାର ନାଏକ, ବିଜେଡି ଦଳର କାର୍ଯ୍ୟକାରୀ ସଭାପତି ଫୋଟ ସିଂ ଭୋଇ, ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଗ୍ରାମରୁ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ॥

Dharitri – The Largest & Most Trusted Odia Daily

Share
Tags: odisha