ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗାଁରେ ରବିବାର ସନ୍ଧ୍ୟାରୁ ରାତି ଯାଏ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପ୍ରାୟ ୨ ମାସ ହେଲା ସମଗ୍ର ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ଏବଂ ଅତ୍ୟଧିକ ବିଦ୍ୟୁତ୍ ବିଲକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।
ରବିବାର ସନ୍ଧ୍ୟାରେ ଟିପିଏସଓଡିଏଲର ଲାଇନ୍ ମ୍ୟାନ ବଳିଆ ପଣ୍ଡା, ଅରୁଣ ପଣ୍ଡା ଏବଂ ଅନ୍ୟ ୩ଜଣ କର୍ମଚାରୀ ଗାଁରେ ପହଞ୍ଚି ଥିଲେ। ର୍କମଚାରୀମାନେ ବକେୟା ବିଦ୍ୟୁତ୍ ବିଲ ଆଦାୟ କରୁଥିବା ବେଳେ ଗ୍ରାମବାସୀଙ୍କ ସହ ବଚସା ହୋଇଥିଲା। ପରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ବିଭାଗର ଗାଡ଼ି ସମେତ ଗାଁ ମଠ ଦାଣ୍ଡ ସ୍ଥିତ ଏକ ଘରେ କର୍ମଚାରୀଙ୍କୁ ଅଟକ ରଖିଥିଲେ।
ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ କର୍ମଚାରୀଙ୍କୁ ଛଡାଯିବ ବୋଲି ଗ୍ରାମବାସୀ ଜିଦ୍ ଧରି ବସିଥିଲେ। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ଦିଗପହଣ୍ଡି ପୋଲିସ ଟିମ୍ ରାତି ପ୍ରାୟ ୧୦ ଟାରେ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅଟକ କର୍ମଚାରୀଙ୍କୁ ଛାଡିଥିବା ଜଣାପଡିଛି।