ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): ବନ୍ୟା-ବାତ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ କୁପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର କାରଣ ସାଜିଛି। ଏବେ ବିପଦ ସମୟରେ କିଭଳି ମୁକାବିଲା କରାଯିବ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟୁଥିବା ବିପର୍ଯ୍ୟୟକୁ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି।
ଏହି ଅବସରରେ ଭ୍ରମରବାଡ଼ି ପଞ୍ଚାୟତ ଡମ୍ପ୍ଲିଉ ଗ୍ରାମରେ ଓ୍ବାର୍ଡ ସଭ୍ୟ ଜୁନସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଧନେଶ୍ୱର ସାହୁ ବିପର୍ଯ୍ୟୟ ସମୟରେ ସାମାଜିକ ସୁରକ୍ଷା ନିଜର ସୁରକ୍ଷା ସହ କିଭଳି ଧନ ଜୀବନର ସୁରକ୍ଷା ଦିଆଯାଇପାରିବ ସେନେଇ ପରିଚାଳନା କମିଟିର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇଥିଲା। କମିଟିର ମୁଖ୍ୟ କାର୍ଯ୍ୟ ହେଲା ଗ୍ରାମର ସମ୍ବଳ ଆକଳନ କରାଯିବା ସହ ବିପଦ ସ୍ଥାନ ଚିହ୍ନଟ ସହ ସୁରକ୍ଷିତ ରହିବା ପାଇଁ ଗୃହ ଚିହ୍ନଟ କରିବ ପରିଚାଳନା କମିଟି। ସେହିପରି ଗ୍ରାମକୁ କିଭଳି ବିପର୍ଯ୍ୟୟ ସମୟରେ ସହାୟତା କରିବା ନେଇ ଏହି କମିଟି କାର୍ଯ୍ୟ କରିବ ବୋଲି କୁହାଯାଇଛି।
ସେହିପରି ସମସ୍ତ କମିଟି ଗଠନ କରାଯାଇଥିବା ଅଞ୍ଚଳ ଓ ସମ୍ଭାବିତ ବିପର୍ଯ୍ୟୟ ଅଞ୍ଚଳରେ ୨୦ ବର୍ଷର ଇତିହାସ ଉପରେ ଆଲୋଚନା କରାଯାଇଥିଲା। ବିଗତ ୨୦ ବର୍ଷର ବିପର୍ଯ୍ୟୟ ଓ ପାଣିପାଗ, ଜନସଂଖ୍ୟା, ଗୃହ ସଂଖ୍ୟା ଆଦି ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟକୁ ନେଇ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଇଛ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ତରଙ୍ଗ ଯୁବ ସଂଘର ସଦସ୍ୟ ଅବସଲାମ ପ୍ରଧାନ, ଗାଁ ସଭାପତି ନରେଶ ପ୍ରଧାନ, ଏସ୍ଏଚ୍ଜିର ବାସନ୍ତୀ ପ୍ରଧାନ, ନମିତା ପ୍ରଧାନ, ଆଇବ ପ୍ରଧାନ, ପବିତ୍ର ପ୍ରଧାନ, ଆଞ୍ଚଳିକ ରିସର୍ସ ପର୍ସନ ଲିଜା ପ୍ରଧାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।